ଓଡିଶା

odisha

ETV Bharat / state

ବାଲେଶ୍ବରବାସୀଙ୍କୁ ଘାରିଛି 'ବୁଲବୁଲ' ଭୟ

ବାଲେଶ୍ବର ତଳିଆ ଓ ନଦୀ କୂଳିଆବାସୀଙ୍କୁ ଘାରିଛି ସମ୍ଭାବ୍ୟ ବାତ୍ୟା 'ବୁଲବୁଲ'ର ଭୟ । ଚାଷୀ ନିଜ ଚାଷ ଧୋଇଯିବା ଚିନ୍ତାରେ ଥିବାବେଳେ ଫନି ପରେ ଏବେ ବୁଲବୁଲର ପ୍ରଭାବକୁ ନେଇ ଭୟଭୀତ ଲୋକେ ।

By

Published : Nov 8, 2019, 7:49 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: 'ଫନି' ପରେ ଏବେ ସମ୍ଭାବ୍ୟ ବାତ୍ୟା 'ବୁଲବୁଲ'ର ଭୟ ଘାରିଛି ବାଲେଶ୍ବର ତଳିଆ ଓ ନଦୀ କୂଳିଆବାସୀଙ୍କୁ । ପୁଣି ଏକ ବାତ୍ୟାର ସାମନା କରିବା ପାଇଁ ଲୋକମାନେ ନିଜକୁ ଅସହାୟ ମନେକରିଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର

ବୁଲବୁଲକୁ ନେଇ ବାଲେଶ୍ବର ଜିଲ୍ଲାର ରେମୁଣା, ବାଲିଆପାଳ, ଜଳେଶ୍ବର, ବସ୍ତା, ବାହାନଗା ଆଦି ତଳିଆ ବ୍ଲକ ଗୁଡିକର ଲୋକମାନେ ଭୟଭୀତ ହୋଇପଡିଛନ୍ତି । ଏହାର ପ୍ରଭାବରେ ପବନ ବେଗ କମ ରହିଲେ ମଧ୍ୟ ପ୍ରବଳ ବର୍ଷାରେ ତଳିଆ ଅଞ୍ଚଳ ଜଳବନ୍ଦୀ ହେବାର ଆଶଙ୍କା ରହିଛି । ଏଥିପାଇଁ ଲୋକମାନେ ବାତ୍ୟା ଆଶ୍ରୟସ୍ଥଳୀକୁ ଭରସା କରିଛନ୍ତି । ସେହିପରି ଗୃହିଣୀମାନେ ମଧ୍ୟ ବନ୍ୟା ଆଶଙ୍କା କରି ଘରେ ଶୁଖିଲା ଖାଦ୍ୟ, ମହମବତୀ ମହଜୁଦ ରଖିଛନ୍ତି ।

1999 ବାତ୍ୟା କଥା ମନେପଡିଲେ ଛାତି ଫାଟିଯାଉଥିବା କେହି କହୁଥିବା ବେଳେ ଚାଷୀ ନିଜର ବର୍ଷସାରାର ପରିଶ୍ରମ ପାଣିରେ ଧୋଇଯିବା ନେଇ ଚିନ୍ତାରେ ପଡିଯାଇଛି । ଅପରପକ୍ଷେ ଅଧିକ ବର୍ଷା ହେଲେ ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ପାଇଁ ବିଡ଼ିଓ, ତହସିଲଦାର, ସରପଞ୍ଚ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପ୍ରଶାସନ ।

ଏପରିକି ବାତ୍ୟା ଆଶ୍ରୟସ୍ଥଳୀରେ ଲୋକମାନଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯିବାକୁ କୁହାଯାଇଛି । ସେହିପରି 9 ତାରିଖ ପ୍ରବଳ ବର୍ଷାର ଆଶଙ୍କା କରି ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି ଛୁଟି ଘୋଷଣା କରିଛନ୍ତି । ବାଲିଆପାଳ, ଭୋଗରାଇ, ବାହାନଗା ଓ ସଦର ବ୍ଲକ ଅଞ୍ଚଳରେ ଓଡ୍ରାଫ ଟିମ ସଜାଗ ରହିଥିବାବେଳେ ଏନଡିଆରଏଫ ଟିମ ମଧ୍ୟ ପ୍ରସ୍ତୁତ ରହିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details