ବାଲେଶ୍ବର: ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଘର ଘର ବୁଲି ସହାୟତା ମାଗୁଛନ୍ତି ପୁଅ ଝିଅ । ଗରିବୀ ସବୁବେଳେ ଯନ୍ତ୍ରଣା ଦେଇଥାଏ । ଜୀବନକୁ ସଂଘର୍ଷ ପଥରେ ଚାଲିବାକୁ ପଡିଥାଏ । ଅଭାବ ଅନଟନ ମଣିଷକୁ ଅସହାୟ କରିଦିଏ । ବାଲେଶ୍ବର ଜିଲ୍ଲା ବସ୍ତା ପହଣା ଗ୍ରାମର ରବିନ୍ଦ୍ର ମୁଖୀଙ୍କ ପୁଅ ଏବଂ ଝିଅଙ୍କୁ ବଞ୍ଚିବାକୁ ସଂଘର୍ଷ କରିବାକୁ ପଡୁଛି । ବାପାଙ୍କ ଶୁଦ୍ଧିକ୍ରିୟା କରିବାକୁ ଘର ଘର ବୁଲି ଭିକ୍ଷାବୃତ୍ତି କରୁଛନ୍ତି ଭାଇ ଭାଉଣୀ । ଏହି ଯନ୍ତ୍ରଣାଦାୟକ ଦୃଶ୍ୟ ସମସଙ୍କୁ ମାର୍ମାହତ କରିଛି ।
ଏକ ଅଜଣା ରୋଗରେ ଗତ 7 ଦିନ ତଳେ ରବିନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା । ଏବେ ପୁଅଝିଅ ବାପାଙ୍କ ଶୁଦ୍ଧିକ୍ରିୟା କରିବା ପାଇଁ ଦ୍ବାର ଦ୍ବାର ବୁଲି ବୁଲି ଭିକ୍ଷାବୃତ୍ତି କରିବା ଘଟଣା ସମସଙ୍କୁ ବିଚଳିତ କରିଛି । ପରିବାରର ଆର୍ଥିକ ସମ୍ବଳ ନଥିବାରୁ ବାପାଙ୍କ ମୃତ୍ଯୁ ପରେ ଘରେ ଚୁଲି ଜଳୁନିହାହିଁ । ଭୋକ ଉପାସରେ ଭଙ୍ଗା କୁଡିଆରେ ପଡି ରହିଛନ୍ତି ପରିବାର। ବାଧ୍ଯ ହୋଇ ବାପାଙ୍କ ଶୁଦ୍ଧିକ୍ରିୟା କରିବା ପାଇଁ ଘର ଘର ବୁଲି ଭିକ୍ଷାବୃତ୍ତି କରି ଅର୍ଥ ଯୋଗାଡ କରୁଛନ୍ତି ଭାଇ ଭଉଣୀ । ଏମାନଙ୍କ ଦୁଃଖ ଦେଖି ସାହିପଡିଶା ବି କାନ୍ଦି ପକାଉଛନ୍ତି । ଏମାନଙ୍କ ବୁକୁ ଫଟା କାନ୍ଦ ଆଉ ସହାୟତା ପାଇଁ ଗୁହାରୀ ଦେଖି ସମସ୍ତଙ୍କ ଆଖି ଛଳ ଛଳ ହେଇ ଯାଉଛି ।
ଜମିବାଡି କିଛି ନଥିବାରୁ ରବିନ୍ଦ୍ର ମୂଲ ଲାଗି କଷ୍ଟରେ ପରିବାର ପ୍ରତିପୋଷଣ କରୁଥିଲେ । କିଛି ବର୍ଷ ପୂର୍ବରୁ ରବିନ୍ଦ୍ରଙ୍କ ବଡପୁଅ ରୋଗରେ ପଡି ଅର୍ଥାଭାବରୁ ଚିକିତ୍ସିତ ହୋଇ ନପାରି ଆଖି ବୁଜିଥିଲେ । ଗତ 7 ଦିନ ପୂର୍ବରୁ ଅଜଣା ରୋଗରେ ପିଡୀତ ହୋଇ ରବିନ୍ଦ୍ର ମଧ୍ଯ ଆଖି ବୁଜି ଦେଲେ । ଘରେ ଏବେ ଦୁଇ ନାବାଳକ ଭାଇ ଭଉଣୀ, ରବିନ୍ଦ୍ରଙ୍କ ସ୍ତ୍ରୀ ଏବଂ ବୁଢୀ ମାଆ ଭାଗ୍ୟ ଓ ଭଗବାନଙ୍କ ଭରସାରେ ରହିଛନ୍ତି । ବାପାଙ୍କ ମୃତ୍ଯୁ ପରେ ଏବେ ଖାଇବାକୁ ବି ଘରେ ଦାନା ଗଣ୍ଡେ ନାହିଁ । ଭାଗ୍ଯକୁ ଆଦରି ଭଙ୍ଗା କୁଡିଆରେ ଭୋକ ଉପାସରେ ପଡି ରହିଛନ୍ତି ଅସହାୟ ପରିବାର । ଏମିତି ପରିସ୍ଥିତି ଭିତରେ ରବିନ୍ଦ୍ରଙ୍କ ଶୁଦ୍ଧିକ୍ରିୟା ପାଇଁ ଅର୍ଥ ଆସିବ ବା କେଉଁଠାରୁ ।