ଓଡିଶା

odisha

ETV Bharat / state

ଅସରାଏ ବର୍ଷାରେ ଭାସୁଛି ବାଲେଶ୍ଵର, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି - water logging issue in balasore

ଅସରାଏ ବର୍ଷାରେ ବେହାଲ ବାଲେଶ୍ୱର । ଲକ୍ଷାଧିକ ଟଙ୍କା ବ୍ୟୟରେ ଟେଣ୍ଡର କରାଯାଇଥିବାବେଳେ ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ ଆଣିଛି ବିଜେପି । ଅଧିକ ପଢ଼ନ୍ତୁ

manas dutta slams state govt
ବର୍ଷାରେ ବେହାଲ ବାଲେଶ୍ୱର

By ETV Bharat Odisha Team

Published : Sep 7, 2023, 6:40 PM IST

ବର୍ଷାରେ ବେହାଲ ବାଲେଶ୍ୱର

ବାଲେଶ୍ୱର:ଅସରାଏ ବର୍ଷାରେ ବେହାଲ ବାଲେଶ୍ୱର ଜିଲ୍ଲା । ସହରର ପ୍ରମୁଖ ସ୍ଥାନ ସିନେମା ଛକ, କଂଗ୍ରେସ ଅଫିସ ଗଳି, ଚିଡିଆପୋଲ, ଚର୍ଚ୍ଚ ଲେନ୍, ଗୁଡ଼ିପଦା, ନୂଆସାହି ଛକ ଏବଂ ବସ୍‌ଷ୍ଟାଣ୍ଡ୍‌ ଆଦି ଅଞ୍ଚଳରେ ଅସରାଏ ବର୍ଷାରେ ନାଳ ପାଣି ରାସ୍ତା ଉପରେ ଲହଡି ଭାଙ୍ଗିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଅସରାଏ ବର୍ଷାରେ ବାଲେଶ୍ୱରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଯାହାକୁ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପସଭାପତି ତଥା ସଦର ନେତା ମାନସ କୁମାର ଦତ୍ତ କହିଛନ୍ତି,"ଉପନିର୍ବାଚନୀ ପ୍ରଚାର ବେଳେ ବାଲେଶ୍ଵରର ଦାୟିତ୍ୱ ନେଇଥିବା କହିଥିଲେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ଏବେ ଅସରାଏ ବର୍ଷାରେ ଭାସୁଛି ବାଲେଶ୍ୱର । କେମିତି ଏହା ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ ପ୍ରତିନିଧିମାନଙ୍କ ଆଖିରେ ପଡୁନି ?"

ସେ ଆହୁରି ମଧ୍ୟ କହିଛନ୍ତି, "କୋଟିକୋଟି ଟଙ୍କାରେ ଟେଣ୍ଡର ହୋଇ କାମ ହେଉଛି । ଲକ୍ଷାଧିକ ଟଙ୍କା ବ୍ୟୟରେ ପ୍ରତ୍ୟେକ ବର୍ଷ ବର୍ଷା ଦିନ ପୂର୍ବରୁ ମହାନାଳ ସଫେଇ ହେବା ପରେ ବି ସ୍ଥିତି ସୁଧୁରୁନି । କୋଟିକୋଟି ଟଙ୍କା କାମରେ ପିସି କାରବାର ହେବା ଏବଂ ମହାନାଳ ସଫେଇ କାମରେ ମଧ୍ୟ ବ୍ୟାପକ ଚଞ୍ଚକତା ହୋଇଥିବା ଯୋଗୁଁ ନିମ୍ନମାନର କାମ ହୋଇଛି । ଫଳରେ ବାଲେଶ୍ବରବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।"

ଏହା ବି ପଢନ୍ତୁ...ଦାଉ ସାଜୁଛି ଡ୍ରେନେଜ ସମସ୍ୟା, ବର୍ଷା ଦିନେ ଜଳବନ୍ଦୀ କେନ୍ଦୁଝର ସହରବାସୀ

"ଏହି ମନୁଷ୍ୟକୃତ ବନ୍ୟାରେ ସରକାରଙ୍କୁ ଟ୍ୟାକ୍ସ ଦେଉଥିବା ଅନେକ ଦୋକାନୀ, ହୋଟେଲ, ସପିଂ ମଲ୍‌ ଏବଂ ଅନେକଙ୍କ ଘରେ ପାଣି ପଶି ଲକ୍ଷାଧିକ ଟଙ୍କାର ଆସବାବପତ୍ର ସହିତ ଇଲେକ୍ଟ୍ରିକାଲ୍‌ ଯନ୍ତ୍ରପାତି ନଷ୍ଟ ହୋଇଯାଇଛି । ଯାହାର କ୍ଷତିପୂରଣ କିଏ ଦେବ ?" ବୋଲି ଯୁବମୋର୍ଚ୍ଚା ଉପସଭାପତି ମାନସ କୁମାର ଦତ୍ତ ପ୍ରଶ୍ନ କରିଛନ୍ତି ।

ଏହା ବି ପଢନ୍ତୁ...ଟ୍ଵିନସିଟିରେ ଡ୍ରେନେଜ ଓ ସ୍ବେରେଜ ଯନ୍ତ୍ରଣା: ଷ୍ଟାଣ୍ଡିଂ କମିଟିର ଉଦବେଗ, ସ୍ଥାୟୀ ସମାଧାନ ପାଇଁ ନିର୍ଦ୍ଦେଶ

ଏମିତିକି ସଦର ବିଧାୟକ ନଡିଆ ବାଡ଼େଇବା ଏବଂ ଫଟୋ ଉଠାରେ ବ୍ୟସ୍ତ ଥିବାବେଳେ ସାମାନ୍ୟ ନାଳର ସମସ୍ୟାକୁ ସମାଧାନ କରି ନପାରିବା ଅତ୍ୟନ୍ତ ଲଜ୍ଜାର ବିଷୟ କହି ସେ ଏହାକୁ ନିନ୍ଦା କରିଛନ୍ତି । ଉପନିର୍ବାଚନରେ ଦେଇଥିବା ପ୍ରତିଶୃତିକୁ ପାଳନ କରିବାରେ ସଦର ବିଧାୟକ, ପୌରପାଳ ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଏହି ସମସ୍ୟାର ସମାଧାନ ତୁରନ୍ତ କରାନଗଲେ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details