ବାଲେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବଙ୍କ ବିଭିନ୍ନ କାର୍ଯ୍ୟକଳାପ ନେଇ ରାଜ୍ୟ ରାଜନୀତି ତେଜିବାରେ ଲାଗିଛି । ଏହି ପ୍ରସଙ୍ଗରେ ବିରୋଧୀ ବାରମ୍ବାର ଶାସକ ଦଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରୁଥିବା ବେଳେ ଆଜି ଖୋଦ ବିଜେଡିରୁ ବିଦ୍ରୋହ ଆରମ୍ଭ ହୋଇଛି । ଦଳରେ ଜଣେ ସଚିବଙ୍କ ହୁକୁମ ଚାଲିବାକୁ ନାପସନ୍ଦ କରି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି ବାଲେଶ୍ବର ଜିଲ୍ଲା ବସ୍ତା ଅଞ୍ଚଳର ବିଜେଡି ନେତା ତଥା ରାଜ୍ୟ ସାଧାରଣ ସମ୍ପାଦକ ଶ୍ୟାମା ପ୍ରସାଦ ବେହେରା । ଏକ ସାମ୍ବାଦିକ ସମ୍ମଳିନୀ ସେ ବିଜେଡିରେ ଚାଲିଥିବା ଅଫିସର ରାଜ୍ ସମ୍ପର୍କରେ କହିବା ସହ ଏନେଇ ସେ ମାନସିକ ସ୍ତରରେ ଅସନ୍ତୁଷ୍ଟ ଥିବା କହିଛନ୍ତି ।
ବିଜୁ ଜନତା ଦଳ ଏବେ ସରକାର ରହିଛି, ହେଲେ ଦଳରେ ନେତାମନ୍ତ୍ରୀଙ୍କ ଠାରୁ ଜଣେ ସଚିବଙ୍କୁ ଅଧିକ ଗୁରୁତ୍ବ ଦିଆଯାଉଥିବା ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଶ୍ୟାମା ପ୍ରସାଦ ବେହେରା କହିଛନ୍ତି । ଗତ ୨୦୧୯ ମସିହା ଠାରୁ ସେ ବିଜେଡିରେ ଯୋଗଦେଇ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ସକ୍ରିୟତାର ସହ କାର୍ଯ୍ୟ କରି ଆସୁଥିଲେ । କିନ୍ତୁ କିଛିଦିନ ହେବ ଦଳକୁ ଯେଭଳି ଜଣେ ସରକାରୀ କର୍ମଚାରୀ କରାୟତ କରି ନେଇଛନ୍ତି, ତାହା ଅତ୍ୟନ୍ତ ଦୁଃଖଦାୟକ ବୋଲି ସେ କହିଛନ୍ତି । ଏପରିକି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଡକୁ ମଧ୍ୟ ଆଙ୍ଗୁଳି ଉଠାଇଛନ୍ତି । ବିଜୁ ପଟ୍ଟନାୟକ ଜଣେ ସ୍ଵାଭିମାନୀ ରାଜନେତା ଓ ସାଧାରଣ ଜନତାଙ୍କ ସହ ସିଧାସଳଖ ସମ୍ପର୍କରେ ବିଶ୍ବାସ କରୁଥିଲେ, ହେଲେ ତାଙ୍କ ଦାୟାଦ ହୋଇ ନିଜେ ନବୀନ ଜଣେ ସଚିବଙ୍କୁ କିଭଳି ଭାବେ ସାଢେ ଚାରି କୋଟି ଓଡ଼ିଆଙ୍କ ଭାଗ୍ୟ ନିୟନ୍ତା ଭାବେ ଓଡିଶାବାସୀଙ୍କ ଉପରେ ଲଦି ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶ୍ୟାମା ପ୍ରସାଦ ବେହେରା ।