ଓଡିଶା

odisha

ETV Bharat / state

ସରକାରଙ୍କ ଦୂରଦୃଷ୍ଟି ଅଭାବ, ସାହାରା ଖୋଜୁଛି ଇଞ୍ଚୁଡି - ଭାରତ ସ୍ବାଧୀନତା

ରାଜ୍ୟ ସରକାର ସମସ୍ତ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ପର୍ଯ୍ୟଟନ ନୀତି ଘୋଷଣା କରିଛନ୍ତି । ଏହା ସତ୍ତ୍ବେ ବଦଳି ପାରିଲାନି ଇଞ୍ଚୁଡିର ଭାଗ୍ୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Aug 15, 2019, 10:03 AM IST

Updated : Aug 15, 2019, 10:23 AM IST

ବାଲେଶ୍ବର: ଭାରତ ସ୍ବାଧୀନତା ପାଇଁ ହୋଇଥିବା ବିଭିନ୍ନ ସଂଗ୍ରାମ କଥା ମନେ ପଡିଲେ ମହାତ୍ମା ଗାନ୍ଧୀଙ୍କ ଲବଣ ସତ୍ୟାଗ୍ରହ ଆପେ ଆପେ ମନକୁ ଆସିଯାଏ । ମାହାତ୍ମା ଗାନ୍ଧୀ ଲବଣ ସତ୍ୟାଗ୍ରହ ପ୍ରଥମେ ଦାଣ୍ଡିରୁ ଆରମ୍ଭ କରିଥିଲେ । ପୂର୍ବ ଭାରତରେ ଲବଣ ସତ୍ୟାଗ୍ରହ ଆରମ୍ଭ ପାଇଁ ଯେତେବେଳେ ପ୍ରସଙ୍ଗ ଉଠିଲା ସେତେବେଳେ ବାଲେଶ୍ବର ଜିଲ୍ଲାର ଇଞ୍ଚୁଡି ରୁ ଆରମ୍ଭ ହୋଇଥିଲା । ଗାନ୍ଧିଜୀଙ୍କ ଡାକରାରେ 1930 ମସିହା ଅପ୍ରେଲ 13 ତାରିଖରେ ଇଞ୍ଚୁଡିରୁ ଲବଣ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା ।

ଏହି ସତ୍ୟାଗ୍ରହରେ କଟକର ଲୌହ ସ୍ତମ୍ଭ ବାହିନୀ, ପୁରୀର ପତିତ ପାବନ ବାହିନୀ, ବାଲେଶ୍ବର ବଜ୍ରସ୍ତମ୍ଭ ବାହିନୀ, ଲାଲକୁର୍ତ୍ତା ବାହିନୀ ଭଳି ପୂର୍ବ ଭାରତର 60 ହଜାରରୁ ଊର୍ଦ୍ଧ୍ଵ ସତ୍ୟାଗ୍ରହୀ ସାମିଲ ହୋଇଥିଲେ । ପ୍ରଥମେ ମରାଯାଇଥିବା ଲୁଣ ପୁରୀରେ ସେତେବେଳେ 12ଶହ ଟଙ୍କାରେ ନିଲାମ କରାଯାଇଥିଲା ।


ପୂର୍ବ ଭାରତର ମାଇଲଖୁଣ୍ଟ ଭାବେ ପରିଗଣିତ ହେଉଥିବା ଇଞ୍ଚୁଡିକୁ 2003 ମସିହା ଅକ୍ଟୋବର 6 ତାରିଖରେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଥିଲା । ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିବା ପରେ ଇଞ୍ଚୁଡିବାସୀ ତଥା ଜିଲ୍ଲାବାସୀ ଗର୍ବ ଅନୁଭବ କରିଥିଲେ । ଜିଲ୍ଲାବାସୀ ଆଶା କରିଥିଲେ ଇଞ୍ଚୁଡିର ବିକାଶ ହେବ , ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ । ମାତ୍ର ସରକାରୀ ଉଦାସୀନତା ପାଇଁ ସମସ୍ତଙ୍କ ଆଶା ଆଶାରେ ରହିଗଲା । ଏବେ ଇଞ୍ଚୁଡି ଯେମିତି ସାହାରା ଖୋଜୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

1989 ମସିହାରେ ସ୍ମୃତିସ୍ତମ୍ଭର ପ୍ରତିଷ୍ଠାତା କମିଟି ସମ୍ପାଦକ ସର୍ବେଶ୍ବର ଦାସ କିଛି ବହି ବିକ୍ରି କରି ସଂଗ୍ରାମୀଙ୍କର ପ୍ରତିମୂର୍ତ୍ତୀ ସ୍ଥାପନ କରିଥିଲେ । ହେଲେ ସବୁ ପ୍ରତିମୂର୍ତ୍ତୀ ଭାଙ୍ଗୀ ଗଲାଣି । ସ୍ମୃତିସ୍ତମ୍ଭକୁ ଯିବାପାଇଁ କାନକଟା ଠାରେ ଥିବା ଏକ ବୋର୍ଡ ଏକବର୍ଷ ହେବ ଭାଙ୍ଗିଗଲାଣି । ଏମିତିକି ସ୍ତମ୍ଭ ଚାରିପଟେ ଥିବା ପାଚେରୀ ଭାଙ୍ଗି ଯାଇଛି ।

ଏ ସମ୍ପର୍କରେ ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ଯାଏ ସମସ୍ତଙ୍କୁ ସ୍ମୃତି କମିଟି ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଫଳରେ ଏହି ଐତିହାସିକ ସ୍ଥଳୀ ଏବେ ନିଜ ପରିଚୟ ହଜାଇବା ଅବସ୍ଥାରେ । ଯଦି ଆଗାମୀ ଦିନରେ ସରକାର ଏହି ଐତିହାସିକ ସ୍ଥଳର ବିକାଶ ନକରିବେ ତେବେ ନିଶ୍ଚିତ ଭାବେ ଇଞ୍ଚୁଡି ସ୍ଥଳ କେବଳ ଇତିହାସ ହୋଇଯିବ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Aug 15, 2019, 10:23 AM IST

ABOUT THE AUTHOR

...view details