ବାଲେଶ୍ବର: ସାଙ୍ଗରେ ଜନ୍ମ ହୋଇଥିଲେ ଦୁଇ ପୁଅ । ଘରେ ଖୁସି କହିଲେ ନସରେ । ପୁଅଟିଏ ଜନ୍ମ ହେଲେ ଘରେ ଖେଳିଯାଏ ଖୁସିରେ ଲହରୀ । ପୁଅ ବଡ ହେବ ବାପା ମାଆଙ୍କ ଦୁଃଖ ଦୂର କରିବ । କିନ୍ତୁ ସେ ସ୍ବପ୍ନ ଆଜି ପାଣି ଫୋଟକା ପରି ମିଳେଇ ଯାଇଛି । ମାତ୍ର ସାଢ଼େ ୩ ବର୍ଷ ବୟସରେ ସ୍ନାୟୁଗତ ରୋଗ ଯୋଗୁଁ ଦୁଇ ଯାଆଁଳା ଭାଇ ଚାଲିବାରେ ଭୋଗିଥିଲେ କଷ୍ଟ । ଇଶ୍ବର ପାଦଦେଲେ ସିନା ନିଜ ଗୋଡରେ ଠିଆ ହେବାକୁ ସେଥିରେ ବଳ ଦେଲେନି । ବର୍ତ୍ତମାନ ମଧ୍ୟ ସମାନ ଅବସ୍ଥା, ଡାକ୍ତର ଦେଖାଇବା ପରେ ମଧ୍ୟ ପିଲା ୨ଟି ଚାଲି ପାରୁନଥିବାରୁ ବାପା ମାଆ ଉଭୟ ଚିନ୍ତାରେ ପଡିଛନ୍ତି । ବାଲେଶ୍ଵର ଜିଲ୍ଲା ମୁଲ୍ଲାନଗର ଅଞ୍ଚଳର ସନ୍ତୋଷ ମଲ୍ଲିକଙ୍କ ଦୁଇ ପୁଅଙ୍କ ଏହି ଦୁଃଖଦ କାହାଣୀ ।
ତେବେ ପ୍ରଥମେ ଦୁଇ ପୁଅଙ୍କ ଗୋଡ଼ ଯନ୍ତ୍ରଣା ହେବା ସହ ଧିରେ ଧିରେ ଠିକ୍ରେ ଚଲା ବୁଲା କରି ପାରିଲେନାହିଁ । ଏମିତି କି ଚାଲୁ ଚାଲୁ ପଡ଼ିଗଲେ । ଏଥିପାଇଁ ସେମାନଙ୍କୁ କାଖେଇ ନିତ୍ୟକର୍ମ ଠାରୁ ଆରମ୍ଭ କରି ତାଙ୍କର ସମସ୍ତ କାମ ମାଆ ଓ ଆଇ ଦୁହେଁ କରୁଛନ୍ତି । ଅନ୍ୟପଟେ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଉଥିଲେ ଦୁଇ ଭାଇ । କିନ୍ତୁ ଯେତେବେଳେ ସେମାନେ ଠିକ୍ରେ ଚାଲି ପାରୁନାହାଁନ୍ତି କେଉଁଠି ପଡିଯିବେ କିମ୍ବା କୌଣସି ଦୁର୍ଘଟଣା ହେବାର ଆଶଙ୍କା କରି ସେମାନଙ୍କୁ ଆଉ ସ୍କୁଲ ଆସିବାକୁ ମନା କରିଦେଇଥିବା ମାଆ ପ୍ରକାଶ କରିଛନ୍ତି ।