ବାଲେଶ୍ବର:ବହୁଚର୍ଚ୍ଚିତ ବାଲେଶ୍ବର ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ ବଡ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ରେଳବାଇ । କାର୍ଯ୍ୟରେ ଅବହେଳା ପାଇଁ 7ଜଣ ରେଳ ଅଧିକାରୀ ଓ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତଙ୍କ ସବିଶେଷ ତଥ୍ୟ ଜଣାପଡିନଥିଲେ ସୁଦ୍ଧା ସମାନଙ୍କ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଷ୍ଟେସନ ମାଷ୍ଟର, ଟ୍ରାଫିକ ଇନିସପେକ୍ଟର ଓ ମେଣ୍ଟେନର ରହିଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଘଟଣାର ତଦନ୍ତ କରୁଥିବା ସିବିଆଇ 3 ଜଣ କର୍ମଚାରୀଙ୍କୁ ଗିରଫ କରିସାରିଛି । ଏବେ ଗିରଫ ଅଭିଯୁକ୍ତଙ୍କୁ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡରେ ନେଇ ଜେରା କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।
ଦକ୍ଷିଣ-ପୂର୍ବ ରେଳବାଇର ମହାପ୍ରବନ୍ଧକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ‘‘ପୂର୍ବରୁ 3 ଅଧିକାରୀଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ଆଉ 7 ଜଣଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଏହି ଅଧିକାରୀମାନେ ସେଦିନ ଦାୟିତ୍ବରେ ଅବହେଳା ପ୍ରଦର୍ଶନ କରିଥିବା ଜଣାପଡିବା ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅଧିକ ତଦନ୍ତ ଜାରି ରହିଛି । ନିଲମ୍ବିତ ହୋଇଥିବା ଅଧିକାରୀଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଘଟ କରାଯାଇନାହିଁ । ସିବିଆଇକୁ ରେଳବାଇ ମଧ୍ୟ ସମସ୍ତ ସହଯୋଗ କରୁଛି । ତଦନ୍ତ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଦକ୍ଷିଣ-ପୂର୍ବ ରେଳବାଇର ନୂତନ ମହାପ୍ରବନ୍ଧକ ଦାୟିତ୍ବ ନେବା ପରେ ଦୁର୍ଘଟଣା ସ୍ଥାନ ବାହାନଗା ବଜାର ଷ୍ଟେସନ ପରିଦର୍ଶନ କରିବା ସହ ସ୍ଥାନୀୟ ସାଂସଦ ପ୍ରତାପ ଷଡଙ୍ଗୀଙ୍କ ସହ ଗୋପିନାଥପୁର ଷ୍ଟେସନରେ ସ୍ଥିତି ସମୀକ୍ଷା କରିଥିଲେ । କାର୍ଯ୍ୟରେ ଥିବା ଅଧିକାରୀ ସେଦିନ ଅବହେଳା ପ୍ରଦର୍ଶନ କରିଥିବା ଜଣାପଡିଥିଲା ।