ବାଲେଶ୍ବର: କୁହାଯାଏ ଦୃଢ଼ ଇଛାଶକ୍ତି ଆଗରେ ସବୁ ବାଧାବିଘ୍ନ ଯେମିତି ପାଣିରେ ମିଳେଇ ଯାଏ । ଗରିବ ଘରେ ଯେଉଁଠି ଦୁଇ ଓଳି ଖାଇବାକୁ ଅନେକ ସଂଘର୍ଷ କରିବାକୁ ପଡିଥାଏ, ସେଠାରେ ଅବା କିଏ କାହାର ଭବିଷ୍ୟତ ଗଢିବାର ଚିନ୍ତା କରିବ । ମାତ୍ର ଏହାରି ଭିତରେ ପଙ୍କରେ ପଦ୍ମ ଫୁଟିଲା ଭଳି ନିଜ ସ୍ବପ୍ନ ସାକାର କରିବା ଓ ପରିବାରର ଦୁରାବସ୍ଥା ସୁଧାରିବା ପାଇଁ ଏକୁଟିଆ ଦୃଢ଼ମନା ହୋଇ ଆଗେଇ ଚାଲିଛି କୁନି ଝିଅଟିଏ । କିଟିମିଟି ଅନ୍ଧାର ଭିତରେ ବି ସେ ଉଜ୍ଵଳ ଭବିଷ୍ୟତର ସ୍ବପ୍ନକୁ ସାକାର କରିବା ପାଇଁ ଆରମ୍ଭ କରିଛି ପ୍ରୟାସ । ପାଠ ପଢି ଦିନେ ବଡ ମଣିଷ ହେବାର ଲକ୍ଷ୍ୟ ରଖି ସେ କରି ଚାଲିଛି ସଂଘର୍ଷ । ଘରେ ବିଦ୍ୟୁତ ସଂଯୋଗ ନଥିବାରୁ ରାତିରେ ପାଠ ପଢିବା ପାଇଁ ସେ ବାହାରେ ଜଳୁଥିବା ଷ୍ଟ୍ରିଟ ଲାଇଟ ତଳକୁ ଚାଲି ଆସୁଛି । ପାଠ ପଢ଼ା ସରିବା ପରେ ସେ ପୁଣି ନିଜ ଘରକୁ ଯାଉଛି । ଏମିତି ଏକ ସଂଘର୍ଷର ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଶିଳ୍ପାଞ୍ଚଳ ଥାନା ଗଣେଶ୍ବରପୁର ଅଞ୍ଚଳର ରାଜନ ପାଠକଙ୍କ ଝିଅ ସୋନାଲିଙ୍କ ଠାରେ ।
ସୋନାଲି ଏବେ ରେମୁଣା ହାଇସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ସେ ମଧ୍ୟ ପାଠପଢ଼ି ବଡ଼ ମଣିଷ ହେବାର ଲକ୍ଷ୍ୟ ରଖିଛନ୍ତି । ହେଲେ ଏଥିପାଇଁ ତାଙ୍କୁ ସହିବାକୁ ପଡୁଛି ଅନେକ କଷ୍ଟ । ଭଙ୍ଗା ଚାଳଘରେ ଜୀବନ ବିତୁଥିବା ବେଳେ ସେଥିରେ ବିଦ୍ୟୁତ ଆଲୁଅର ବ୍ୟବସ୍ଥା ଘରେ ନାହିଁ । ଏଥିପାଇଁ ବଡ଼ ଭଉଣୀ ବାହାରେ ବାସିକାମ କରି ଯାହା ରୋଜଗାର କରନ୍ତି ସେଥିରେ ସୋନାଲି ପାଠ ପଢ଼ନ୍ତି । ଘରେ ବିଦ୍ୟୁତ ସଂଯୋଗ ନଥିବାରୁ ପାଠ ପଢିବା ପାଇଁ ସୋନାଲି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ଶେଷରେ କୌଣସି ଉପାୟ ନପାଇ ହାତରେ ଚେୟାର ଖଣ୍ଡେ ଧରି ସୋନାଲି ରାସ୍ତା କଡ଼ରେ ଲାଗିଥିବା ଷ୍ଟ୍ରିଟ ଲାଇଟ ତଳକୁ ପାଠ ପଢିବା ପାଇଁ ବାହାରିଥିଲେ । ଏମିତି ରାସ୍ତା କଡ଼ରେ ଷ୍ଟ୍ରିଟ ଲାଇଟ ତଳେ ପାଠ ପଢୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା ।