ଓଡିଶା

odisha

ETV Bharat / state

ମେଡିକାଲରେ ପାର୍କ ମାହୋଲ, ମିଳୁଛି ମଶା ଲାର୍ଭା ଖିଆ ମାଛ - ପାର୍କର ଭ୍ରମ ସୃଷ୍ଟି କରୁଛି ମେଡିକାଲ

ପାର୍କର ଭ୍ରମ ସୃଷ୍ଟି କରୁଛି ବାଲେଶ୍ବର ଜିଲ୍ଲା ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର । ଘାସ ଗାଲିଚା ସାଙ୍ଗକୁ ୪୦ ପ୍ରକାର ଫୁଲ ଓ ୨୦ ପ୍ରକାରର ଗଛ ଲାଗିଛି ହସ୍ପିଟାଲରେ । ଅଧିକ ପଢନ୍ତୁ...

ପାର୍କର ଭ୍ରମ ସୃଷ୍ଟି କରୁଛି ରେମୁଣା ହସ୍ପିଟାଲ
ପାର୍କର ଭ୍ରମ ସୃଷ୍ଟି କରୁଛି ରେମୁଣା ହସ୍ପିଟାଲ

By

Published : May 1, 2021, 3:29 PM IST

Updated : May 26, 2021, 3:31 PM IST

ବାଲେଶ୍ବର:ପାର୍କର ଭ୍ରମ ସୃଷ୍ଟି କରୁଛି ବାଲେଶ୍ବର ଜିଲ୍ଲା ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର । ଘାସ ଗାଲିଚା ସାଙ୍ଗକୁ ରଙ୍ଗ ବେରଙ୍ଗର ଫୁଲ, ଔଷଧୀୟ ଉଦ୍ୟାନ ଓ ବିଭିନ୍ନ ପ୍ରକାରର ଫଳ ଗଛ ଏହି ଡାକ୍ତରଖାନାକୁ ଆକର୍ଷଣୀୟ କରିଛି । ଖାଲି ସେତିକି ନୁହେଁ ରୋଗୀ ତଥା ତାଙ୍କ ସମ୍ପର୍କୀୟଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ମେଡିକାଲର ବିଭିନ୍ନ ସ୍ଥାନରେ ଲାଗିଛି ସାଉଣ୍ଡ ବକ୍ସ। ଯେଉଁଥିରେ କୋରୋନା ଠାରୁ ଆରମ୍ଭ କରି ମ୍ୟାଲେରିଆ ଓ ଡେଙ୍ଗୁ ଭଳି ରୋଗର ସଚେତନତା ବାର୍ତ୍ତା ବାଜୁଥିବା ଦେଖିବାକୁ ମିଳିଛି।

ମେଡିକାଲରେ ପାର୍କ ମାହୋଲ, ମିଳୁଛି ମଶା ଲାର୍ଭା ଖିଆ ମାଛ

ରୋଗୀ କିମ୍ବା ସମ୍ପର୍କୀୟ ଏହି ହସ୍ପିଟାଲରେ ପାଦ ଦେବାପରେ କିଛି ସମୟ ବୁଲି ବୁଲି ବଗିଚାର ମନୋରମ ଦୃଶ୍ୟ ଉପଭୋଗ କରୁଛନ୍ତି। ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଜିଲ୍ଲାର ଏକ ବ୍ୟସ୍ତବହୁଳ ସ୍ବାସ୍ଥ୍ୟକେନ୍ଦ୍ର ଭାବେ ଜଣାଶୁଣା। ୨୦ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନାକୁ ଚିକିତ୍ସା ପାଇଁ ୩୦୦ରୁ ଉର୍ଦ୍ଧ୍ବ ରୋଗୀ ଆସିଥାନ୍ତି। ହେଲେ କିଛିବର୍ଷ ପୂର୍ବରୁ ହସ୍ପିଟାଲର ପରିବେଶକୁ ନେଇ ଆସୁଥିବା ରୋଗୀ ଅସନ୍ତୋଷ ପ୍ରକାଶ କରୁଥିଲେ । ଅନେକ ଥର ହସ୍ପିଟାଲର ଅବ୍ୟବସ୍ଥାକୁ ନେଇ ଅଭିଯୋଗ ମଧ୍ୟ ହୋଇ ଆସୁଥିଲା।

ଏନେଇ ସ୍ଥାନୀୟ ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଓ ହସ୍ପିଟାଲ ଦାୟିତ୍ବରେ ଥିବା ମେଡିକାଲ ଅଫିସର ଡାକ୍ତର ରାମଚନ୍ଦ୍ର କିସ୍କୁ ହସ୍ପିଟାଲର ପରିବେଶରେ ଉନ୍ନତି ଆଣିବା ପାଇଁ ରୋଗୀ କଲ୍ୟାଣ ସମିତି ବୈଠକରେ ପ୍ରସ୍ତାବ ରଖିଥିଲେ। ଏହାପରେ କାୟାକଳ୍ପ ଯୋଜନାରୁ ମିଳିଥିବା ୧୦ ଲକ୍ଷ ଟଙ୍କା ହସ୍ପିଟାଲର ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।

୪୦ ପ୍ରକାର ଫୁଲ ଓ ୨୦ ପ୍ରକାରର ଗଛ ଲାଗିଛି ହସ୍ପିଟାଲରେ । କେବଳ ଫୁଲ କି ଔଷଧୀୟ ଗଛ ନୁହେଁ। ଆମ୍ବ,ଲେମ୍ବୁ, ପିଜୁଳି ପରି ଅନେକ ଫଳ ଗଛ ବି ଲାଗିଛି। ସବୁ ପରେ ବି ହସ୍ପିଟାଲ ପରିସରରେ ଏକ ସ୍ବତନ୍ତ୍ର କୁଣ୍ଡ ରହିଛି। ଯେଉଁଥିରେ ମଶା ଲାର୍ଭା ଖିଆ ଗାମ୍ବୁସିଆ ମାଛ ମଧ୍ୟ ଚାଷ ହୋଇଛି। ଆଉ ଏସବୁକୁ ନିୟମିତ ତଦାରଖ କରୁଛନ୍ତି ଏଠାରେ କାର୍ଯ୍ୟରତ ଡାକ୍ତର ଏସକେ ସୁଲତାନ ଅଲ୍ଲୀ । ଏହାକୁ ଦେଖିବା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏବେ ଭିଡ ହେଉଛି। ପୁଣି ଏହି ମାଛକୁ ଯଦି କେହି ନେବାକୁ ଚାହୁଁଛି ତେବେ ତାଙ୍କୁ ମାଗଣାରେ ତାହା ପ୍ରଦାନ କରାଯାଉଛି। ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏସବୁ ପରିବେଶ ରୋଗୀ ତଥା ସେମାନଙ୍କ ସମ୍ପର୍କୀୟଙ୍କୁ ମାନସିକ ଶାନ୍ତି ପ୍ରଦାନ କରୁଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : May 26, 2021, 3:31 PM IST

ABOUT THE AUTHOR

...view details