ବାଲେଶ୍ଵର:ବ୍ୟାଙ୍କରୁ ଲୁଟ୍ କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ କରିବାରେ ପୋଲିସକୁ ମିଳିଛି ବଡ଼ ସଫଳତା। ତାଳସାରୀ ଥାନା ଅଧୀନ ଚନ୍ଦନେଶ୍ଵରରେ ଥିବା ୟୁନିଅନ ବ୍ୟାଙ୍କରୁ ବନ୍ଧୁକ ଦେଖାଇ ଲୁଟ୍ କରିଥିବା ଡକାୟତ ଗ୍ୟାଙ୍ଗର ଅନ୍ୟତମ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ନିକଟରୁ 854ଗ୍ରାମରୁ ଅଧିକ ସୁନା ଅଳଙ୍କାର ଜବତ କରିଛି ପୋଲିସ। ଏନେଇ ବାଲେଶ୍ଵର ଏସପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି।
ଏସପିଙ୍କ ସୂଚନା ଅନୁସାରେ, "ବ୍ୟାଙ୍କରେ ଥିବା ସୁନା, ଡକାୟତି କରି ଫେରାର ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ପୂର୍ବରୁ 6 ଜଣଙ୍କୁ ଗିରଫ କରାଯାଇଥିଲା। ସେଥିରେ 3 ଜଣ ମୁଖ୍ୟ ଅଭିଯୁକ୍ତ ଥିବାବେଳେ ଆଉ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଏହାସହ ସେମାନଙ୍କଠାରୁ ସୁନା ଅଳଙ୍କାର ଜବତ କରିଛି ପୋଲିସ। ଅନ୍ୟତମ ଅଭିଯୁକ୍ତ ପଶ୍ଚିମବଙ୍ଗର ଉତ୍ତର 24 ପ୍ରଗଣା ବସିରହାଟ ଥାନା ଅଞ୍ଚଳରୁ ଗିରଫ ହୋଇଛି। ଅଭିଯୁକ୍ତ ଜଣଙ୍କ ତୈବ ଅଲ୍ଲୀ ମୁଲ୍ଲା ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ନିକଟରୁ 8 ଶହ 54 ଗ୍ରାମ ସୁନା ଜବତ କରାଯାଇଛି। ଯାହାର ମୂଲ୍ୟ 49 ଲକ୍ଷ ଟଙ୍କା ହୋଇଥିବା ଜଣାପଡ଼ିଛି।"
ଏହା ବି ପଢନ୍ତୁ...ଧରାପଡ଼ିଲା କଲିଜାଖିଆ ଦୁର୍ଦ୍ଦାନ୍ତ ଅପରାଧି, ଅତ୍ୟାଧୁନିକ ବନ୍ଧୁକ ଜବତ ସହ ୪ ଗିରଫ