ବାଲେଶ୍ବର: ସ୍ବାଧୀନତାକୁ ପୁରୁଛି ୭୫ ବର୍ଷ । ଇତିମଧ୍ୟରେ ବିକାଶ ନାଁରେ ମାଳ ମାଳ ଯୋଜନା ଓ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର । ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଭିତ୍ତିଭୂମି ଯୋଗାଇବା ନେଇ ରାଜ୍ୟରେ ଡେଙ୍ଗୁରା ବାଜୁଛି । ହେଲେ ମୌଳିକ ସୁବିଧା ଅଭାବରୁ ଆଜି ବି ଝଡି ଯାଉଛି ଜୀବନ । ଯାହାର ସଦ୍ୟ ଦୃଷ୍ଟାନ୍ତ ସାମ୍ନାକୁ ଆସିଛି ବାଲେଶ୍ବର ଜିଲ୍ଲା ରେମୁଣଆ ବ୍ଲକ ଦୁଦୁମା ଗ୍ରାମରୁ । ରାସ୍ତାର ଦୁର୍ଦ୍ଦଶା ଯୋଗୁଁ ଠିକ୍ ସମୟରେ ସ୍ବାସ୍ଥ୍ୟସେବା ନ ପାଇ ଦୁଦୁମା ଗ୍ରାମର ଜଣେ ରୋଗୀ ପ୍ରାଣ ହରାଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଗାଁର ରମାକାନ୍ତ ବେହେରା ହଠାତ୍ ଅସୁସ୍ଥ ହୋଇପଡିଥିଲେ । ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସକୁ ଡକାଯାଇଥିଲା । ଆମ୍ବୁଲାନ୍ସଟି ଗାଁକୁ ସଂଯୋଗ କରୁଥିବା ଖାଲ ଖମା ରାସ୍ତା ଦେଇ ରୋଗୀ ନେଇ ଯାଉ ଯାଉ ହଠାତ୍ କାଦୁଅରେ ପଶି ଯାଇଥିଲା । ଗୋଟିଏ ପଟେ ଶତ ଚେଷ୍ଟା ପରେ ବି ଆମ୍ବୁଲାନ୍ସ କାଦୁଅରୁ ବାହାରି ପାରୁନଥିବାବେଳେ ଅନ୍ୟପଟେ ଅଧିକ ଯନ୍ତ୍ରଣାରେ ଛଟପଟ ହେଉଥିଲେ ରୋଗୀ । ଯାହା ଦେଖି ଗାଁ ଲୋକେ ବାଧ୍ୟ ହୋଇ ଅନ୍ୟ ଏକ ଗାଁରୁ କାର ଭଡା କରି ବାଲେଶ୍ବର ଚିକିତ୍ସାଳୟ ପଠାଇଥିଲେ ।