ଓଡିଶା

odisha

ETV Bharat / state

ବହୁ ପ୍ରତିଭାର ଅଧିକାରିଣୀ ଆୟୁସି, ନିଖୁଣ କଳା ମାଧ୍ୟମରେ ଜାତୀୟ ସ୍ତରରେ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ

କମ ବୟସରେ ବହୁ ପ୍ରତିଭାର ଅଧିକାରିଣୀ ହୋଇ ପାରିଛନ୍ତି ବାଲେଶ୍ବରର ଆୟୁସି । ଅଭିନୟ ଠାରୁ ଆରମ୍ଭ କରି ନାଚ ଗୀତ ଆଦିରେ ସେ ଅନେକ ସ୍ଥାରେ କୃତିତ୍ବ ଅର୍ଜନ କରି ୧୫୦ରୁ ଊର୍ଦ୍ଧ୍ବ ପୁରସ୍କାର ପାଇସାରିଛନ୍ତି । ତାଙ୍କର ଏହି ସଫଳତା ପଛରେ ସାରଥି ପାଲଟିଛନ୍ତି ତାଙ୍କ ମାଆ ଆଲଫା ସରିତା । ଅଧିକ ପଢନ୍ତୁ

By

Published : Jan 12, 2023, 6:32 PM IST

Updated : Jan 12, 2023, 8:03 PM IST

multi tallented girl in balasore
ବହୁ ପ୍ରତିଭାର ଅଧିକାରିଣୀ ଆୟୁସି

ବହୁ ପ୍ରତିଭାର ଅଧିକାରିଣୀ ଆୟୁସି

ବାଲେଶ୍ବର:ବହୁ ପ୍ରତିଭାର ଅଧିକାରିଣୀ ଆୟୁସି । ବାଲେଶ୍ବର ଜିଲ୍ଲା ଗବଗାଁ ଅଞ୍ଚଳର ସ୍ବର୍ଗତ ନନିଗୋପାଳ ପାତ୍ର ଓ ଆଲଫା ସରିତା ମହାନ୍ତିଙ୍କ 10 ବର୍ଷର ଝିଅ ଆୟୁସୀ । ଏକା ସାଙ୍ଗରେ ସେ ଅଭିନୟ, ନାଚ ,ଗୀତ, ମଡେଲିଂ କରି ଜାତୀୟ ଓ ଜିଲ୍ଲା ସ୍ତରରରେ କୃତିତ୍ବ ଅର୍ଜନ କରି ପୁରସ୍କୃତ ହୋଇଛନ୍ତି । ଜାତୀୟ ସ୍ତରରେ ସେ ୧୦ରୁ ଉର୍ଦ୍ଧ୍ବ ସ୍ଥାନରେ ପୁରସ୍କୃତ ହୋଇଥିବା ବେଳେ ଜିଲ୍ଲା ସ୍ତରରେ ୫୦ରୁ ଅଧିକ ପୁରସ୍କାର ପାଇଛନ୍ତି । ନିଜ କଳା ପ୍ରଦର୍ଶନ କରି ସେ ୧୫୦ରୁ ଊର୍ଦ୍ଧ୍ବ ମେଡାଲ ପାଇ ସାରିଛନ୍ତି । ତାଙ୍କର ଏହି ସଫଳତା ପଛରେ ସାରଥି ପାଲଟିଛନ୍ତି ତାଙ୍କ ମାଆ ଆଲଫା ସରିତା ମହାନ୍ତି । ଝିଅର ଭବିଷ୍ୟତକୁ ନେଇ ଦିନରାତି ଆୟିସି ପଛରେ ଲାଗି ପଡିଛନ୍ତି ତାଙ୍କ ମାଆ।

ଆୟୁସି ପିଲାଟି ଦିନରୁ ନାଚ ଗୀତ ସାଙ୍ଗକୁ ଅଭିନୟ ପ୍ରତି ବେଶ ଆଗ୍ରହ ଦେଖାଇଥିଲେ। ଏଥିପାଇଁ ତାଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେବାପାଇଁ ବାପା ମାଆ ସ୍ଥିର କରିଥିଲେ। ମାତ୍ର ସବୁଦିନେ ଗାଵଗାଁରୁ ବାଲେଶ୍ଵର ଯିବା ଆସିବା କରି ଆୟୁସିଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେବା ବାପା ମାଆଙ୍କ ପକ୍ଷେ ସମ୍ଭବ ହେଉ ନଥିଲା । ଏଥିପାଇଁ ଝିଅ ଭିତରେ ଲୁଚିଥିବା କଳା କେମିତି ପ୍ରସ୍ଫୁଟିତ ହେବ ସେନେଇ ଅହରହ ଚିନ୍ତା କରୁଥିଲେ । ଏହି ସମୟରେ ଆୟୁସିଙ୍କ ମାଉସୀ ପ୍ରଜ୍ଞା ମହାନ୍ତି ଆଗ୍ରହ ପ୍ରକାଶ କରିବା ସହ ଆୟୁସିଙ୍କ କଳା ବିକଶିତ କରାଇବା ପାଇଁ ଆଗଭର ହୋଇଥିଲେ।

ସେହିଦିନ ଠାରୁ ମାଉସୀଙ୍କ ସହ ଆୟୁସି ବିଭିନ୍ନ ସ୍ଥାନରୁ ପ୍ରଶିକ୍ଷଣ ନେବା ସହ ଆଗକୁ ଆଗକୁ ମାଡି ଚାଲିଥିଲେ। ଆୟୁସି ଗୀତ ହେଉ କି ନାଚ କିମ୍ବା ରାମ୍ପ ସୋ ଓ ଏକକ ଅଭିନୟରେ ନିଖୁଣ ଅଭିନୟ କରି ଅନେକ ସ୍ଥାନରେ ପୁରସ୍କୃତ ହୋଇଛନ୍ତି କେତେବେଳେ ସେ ଦ୍ରୌପଦୀଙ୍କ ଚରିତ୍ର ତ କେତେବେଳେ କାଳୀ ନହେଲେ ଝାନ୍ସୀ ରାଣୀଙ୍କ ଚିରତ୍ରରେ ନିଜକୁ ରଖି ବେଶ୍ ବାସ୍ତବିକ ଭାବେ ଅଭିନୟ କରିପାରନ୍ତି।

ମାତ୍ର ଅଢେ଼ଇ ବର୍ଷ ବୟସରେ ତାଙ୍କ ଭିତରର ପ୍ରତିଭା ବାହାରକୁ ପ୍ରସ୍ଫୁଟିତ ହୋଇଥିଲା । ନିଜେନିଜେ ନାଚିବା ସହ ଅଭିନୟ କରିବା ସେ ଆରମ୍ଭ କରିଥିଲେ । ସେଥିପାଇଁ ଏହି ପ୍ରତିଭା ଦେଖି ତାଙ୍କୁ ନାଚରେ ଅଧିକ ପ୍ରଶିକ୍ଷଣ ଦେବା ପାଇଁ ୩ ବର୍ଷ ବୟସରେ ବାଲେଶ୍ବର ସହରସ୍ଥିତ ଗୋପାଳଗାଁସ୍ଥିତ ବିକେ ଡାନ୍ସ୍ ଏକାଡେମୀରେ ଭର୍ତ୍ତି କରାଇଲେ। ପରେ ସେ ଗୋଟିଏ ପରେ ଗୋଟିଏ ସ୍ଥାନ ତଥା ବିଭିନ୍ନ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରି ପୁରସ୍କାର ଓ ସାର୍ଟିଫିକେଟ ହାସଲ କରିଛନ୍ତି।

କେବଳ ନୃତ୍ୟ ନୁହେଁ ସେ ଅଭିନୟ, ମଡେଲିଂ ଏବଂ ଚିତ୍ର କରିବାରେ ମଧ୍ୟ ଧୁରନ୍ଧର । ଭୁବନେଶ୍ୱର, ବେଙ୍ଗାଲୋର ହୋମିଲେଣ୍ଡ୍ ଗ୍ରୁପ୍ ଏବଂ ବାଲେଶ୍ବରର ସମସ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପୁରସ୍କାର ଓ ସାର୍ଟିଫିକେଟ ପାଇଛନ୍ତି । କୁନି ବୟସରେ ନିଜର ପ୍ରତିଭା ପାଇଁ ଅନେକଙ୍କଠୁ ପ୍ରଶଂସା ମଧ୍ୟ ସାଉଁଟୁଛନ୍ତି ଆୟୁସି । ନାଚ, ମଡେଲିଂ, ଅଭିନୟ କରି ଅଳ୍ପ ବୟସରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସେ। ଏସବୁ ପ୍ରତିଭା ଭିତରୁ ଆୟୁସି ମଡର୍ଣ୍ଣ ଡ୍ୟାନ୍ସ ଏବଂ ଅଭିନୟ ବହୁତ ଭାବେ କରି ଶ୍ରୋତା ଓ ଦର୍ଶକଙ୍କ ମନ ଜିତିପାରିଛନ୍ତି । ଆୟୁସି ମଡର୍ଣ୍ଣ ପବ୍ଲିକ ସ୍ଲୁଲରେ ବର୍ତ୍ତମାନ ଚତୁର୍ଥ ଶ୍ରେଣୀରେ ପାଠ ପଢୁଛନ୍ତି।

ସବୁକିଛି ଠିକ ଚାଲିଥିବା ବେଳେ ପରିବାର ଉପରେ ଘୋଟି ଆସିଥିଲା କଳା ବାଦଲ । ଯେଉଁ ମାଉସୀ ଆୟୁସିଙ୍କୁ ଏମିତି କଳାରେ ନିପୁଣ କରାଇଥିଲେ ସେହି ମାଉସୀ ହଠାତ କୋଭିଡରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଲେ । ଏହାର କିଛିଦିନ ପରେ ପୁଣି ଆୟୁସିଙ୍କ ବାପା ମଧ୍ୟ କୋଭିଡରେ ଆରପାରିକୁ ଚାଲିଗଲେ। ଏମିତି ଦୁଇଜଣଙ୍କୁ ହରାଇ ଭାଙ୍ଗି ପଡ଼ିଥିଲେ ଆୟୁସିଙ୍କ ମାଆ ଆଲଫା ସରିତା। ଏହାରି ଭିତରେ ଅନେକ ଦୁଃଖ ଓ କଷ୍ଟ ସହି ପରିବାର ଚଳାଇ ନେଉଥିବା ବେଳେ ଆୟୁସିଙ୍କ କଳା ପ୍ରତି ଅବହେଳା ହୋଇଯାଇଥିଲା।

ପ୍ରାୟ 6 ମାସରୁ ଏକ ବର୍ଷ ଯାଏ ଆୟୁସି ଆଉ କୌଣସି କଳା ପ୍ରଶିକ୍ଷଣ ଶ୍ରେଣୀରେ ଯୋଗ ଦେଇ ପାରି ନଥିଲେ । ଶେଷରେ ଭଉଣୀ ଓ ସ୍ବାମୀଙ୍କ ଇଚ୍ଛା ପୂରଣ କରିବାର ଲକ୍ଷ୍ୟ ନେଇ ମନକୁ ସୁଦୃଢ଼ କରି ଆଲଫା ସରିତା ଝିଅର ଭବିଷ୍ୟତ ଗଢିବାର ଏକମାତ୍ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଏଥିପାଇଁ ଗାଵଗାଁରୁ ପଳାଇ ଆସି ଆଲଫା ନିଜ ମାଙ୍କ ସହ ଝିଅକୁ ନେଇ ଅଙ୍ଗାରଗଡ଼ିଆ ଅଞ୍ଚଳରେ ଏକ ଭଡାଘରେ ପୁରୁଣା ସ୍ମୃତିକୁ ସାଇତି ନୂଆ ଭବିଷ୍ୟତ ଗଢିବାରେ ନିମଗ୍ନ ହୋଇଯାଇଛନ୍ତି। ଝିଅକୁ ଭଲ ମଣିଷ ଭାବେ ଗଢିବା ଓ ତା ଭିତରେ ଥିବା କଳାର ବିକାଶ କରିବା ଏବେ ଏକମାତ୍ର ଲକ୍ଷ୍ୟ ହୋଇଛି ।

ଏଥିପାଇଁ ଦିନଠାରୁ ରାତିଯାଏଁ ଆଲଫା ସରିତା ଝିଅ ପଛରେ ଲାଗି ରୁହନ୍ତି । ଯେଉଁଠି କୌଣସି ପ୍ରତିଯୋଗିତା ହେଉ କିମ୍ବା କାର୍ଯ୍ୟକ୍ରମ ସେଠାକୁ ଆଲଫା ସରିତା ଝିଅ ଆୟୁସିଙ୍କୁ ନେଇ ଯାଇଥାନ୍ତି। ମାଆଙ୍କ ଅକ୍ଲାନ୍ତ ପରିଶ୍ରମରେ ପାଠପଢା ସହ ନୃତ୍ୟ ଓ ଅଭିନୟ ଦିଗରେ ମଧ୍ୟ ଆୟୁସିଙ୍କ ପାଦ ଆଗକୁଆଗକୁ ବଢିଚାଲିଛି । ଭବିଷ୍ୟତରେ ଏସବୁକୁ ନେଇ ଚାଲିବା ସହ ଜଣେ ଆଖି ଡାକ୍ତର ହେବେ ବୋଲି ଆୟୁସି ଲକ୍ଷ୍ୟ ରଖିଛନ୍ତି । ତେବେ ଆୟୁସିଙ୍କ ପାଇଁ ଆଲଫା ଉଭୟ ବାପା ମାଆଙ୍କ ଦାଇତ୍ୱ ତୁଲାଉଥିବା ବେଳେ ଆଗାମୀ ଦିନରେ ଆହୁରି ଅନେକ ପ୍ରତିଭାର ଅଧିକାରିଣୀ ହେବେ ବୋଲି ଆଶା ରଖିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

Last Updated : Jan 12, 2023, 8:03 PM IST

ABOUT THE AUTHOR

...view details