ବାଲେଶ୍ବର: ଲକଡାଉନ ନିୟମରେ ପରିବର୍ତ୍ତନ ନେଇ ସୋସିଆଲ ମିଡିଆରେ ଘୁରିବୁଲୁଛି ଅପପ୍ରଚାର । ବାଲେଶ୍ବର ଜିଲ୍ଲାରେ ଲକଡାଉନ ନିୟମରେ ପରିବର୍ତ୍ତନ ନେଇ ଦୁଇଦିନ ଧରି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ଖଣ୍ଡନ କରିବା ସହ ଏହାକୁ ଅପପ୍ରଚାର ଓ ଗୁଜବ ବୋଲି ସ୍ପଷ୍ଟ କରିଛି ଜିଲ୍ଲା ପ୍ରଶାସନ ।
ବାଲେଶ୍ବରରେ ସକାଳ 6 ଟାରୁ ଦିନ 11 ଟା ଯାଏଁ ଦୋକାନ ଖୋଲିବା ସହ ଅପରାହ୍ନରେ ଦୋକାନ ବନ୍ଦ ରହିବ ନେଇ ବିଭିନ୍ନ ହ୍ଵାଟ୍ସଆପ ଗ୍ରୁପରେ ଗୁଜବ ଭାଇରାଲ ହେଉଛି । ସେହିପରି ଅନ୍ୟ କିଛି ସାମାଜିକ ଗଣମାଧ୍ୟମରେ ପ୍ରଚାର ହେଉଛି ଯେ, ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲେଶ୍ବର ପୌରପାଳିକା ଅଞ୍ଚଳକୁ ସୋମବାର ଅପରାହ୍ନ ୫ଟାରୁ ଆସନ୍ତା ଶୁକ୍ରବାର ଅପରାହ୍ନ ୫ଟା ଯାଏଁ ସଟଡାଉନ ଘୋଷଣା କରାଯାଇଛି ।
ଏହି ସମୟରେ ସମସ୍ତ ସପିଂ ମଲ, ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଗୁଡିକ ବନ୍ଦ ରହିବ । ଏହିଭଳି ଗୁଜବ ଓ ଅପପ୍ରଚାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରାଯାଇଛି ଏବଂ ଏଥିରେ କୌଣସି ସତ୍ୟତା ନଥିବା କୁହାଯାଇଛି ।