ବାଲେଶ୍ୱର: ରାଜ୍ୟ ବାହାରେ ରହି ପରିବାର ପ୍ରତିପୋଷଣ କରୁଥିବା ମଣିଷ ଏବେ ଜୀବନ ମରଣ ସହ ଲଢୁଛି । ଅସ୍ତ୍ରୋପଚାର ପାଇଁ ଦରକାର ଲକ୍ଷ ଲକ୍ଷ ଟଙ୍କା । ଦିନେ ହସଖୁସିରେ ଫାଟି ପଡୁଥିବା ପରିବାର ଏବେ କାନ୍ଦବୋବାଳିରେ ଫାଟି ପଡୁଛି । ଦୁଃଖର କଳାବାଦଲ ଯେମିତି ଛିଣ୍ଡି ପଡିଛି ଏହି ପରିବାର ଉପରେ । ଦୁର୍ଘଟଣାରେ ହସ୍ପିଟାଲ ବେଡରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ କମାରପାଳ ଗ୍ରାମର ବୈକୁଣ୍ଠ ଜେନା ।
ସୂଚନା ଅନୁସାରେ, ଘରକାମରେ ବାହାରକୁ ଯାଇଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଏବେ ଜୀବନ ସହ ଜୁଝୁଛନ୍ତି ବୈକୁଣ୍ଠ । 21 ଦିନ ହେଲା ଭେଣ୍ଟିଲେଟରରେ ଥିବା ବେଳେ ଏଯାଏ ତାଙ୍କର ଚେତା ଫେରିନାହିଁ। କେବଳ ନିଶ୍ବାସ ଚାଲିଛି । 21 ଦିନ ଧରି ଅଚେତ ଅବସ୍ଥାରେ ଥିବାରୁ ତୁରନ୍ତ ମୁଣ୍ଡରେ ଅସ୍ତ୍ରୋପଚାର କରିବାକୁ କହୁଛନ୍ତି ଡାକ୍ତର । ଏଥିପାଇଁ ଆବଶ୍ୟକ ପ୍ରଚୁର ଅର୍ଥ, ଆଉ ଗରିବ ପରିବାର ଏହାକୁ ନେଇ ଚିନ୍ତାରେ ପଡିଛି।
ବୈକୁଣ୍ଠଙ୍କ ପରିବାର କହିଲେ ବୃଦ୍ଧ ପିତାମାତା ଓ ସ୍ତ୍ରୀ ସମେତ ଦୁଇ ପିଲା । ଏମାନଙ୍କ ମୁହଁରେ ଦାନ ଯୋଗାଇବା ପାଇଁ ବୈକୁଣ୍ଠ ମୁମ୍ବାଇରେ ଏକ ହୋଟେଲରେ କାମ କରୁଥିଲେ । ଦୁର୍ଗାପୂଜାରେ ସେ ମୁମ୍ବାଇରୁ ଘରକୁ ବୁଲିବା ପାଇଁ ଆସିଥିଲେ। କୌଣସି ଏକ ଘରୋଇ କାମରେ ସେ ବାହାରକୁ ଯାଇଥିବା ବେଳେ ହଠାତ ତାଙ୍କର ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେ ରାସ୍ତା କଡରେ ଅଚେତ ଅବସ୍ଥାରେ ପଡିଥିବା ବେଳେ ଜଣେ ଲୋକ ଦେଖି ପରିବାରକୁ ଖବର ଦେଇଥିଲେ । ପରେ ପରିବାର ଲୋକେ ତାଙ୍କୁ ପ୍ରଥମେ ସୋର ମେଡିକାଲ, ପରେ ବାଲେଶ୍ଵର ମେଡିକାଲ ଓ ସେଠାରୁ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଇଥିଲେ ।