ବାଲେଶ୍ଵର:ସହରର ଗଣେଶ୍ବରପୁର ଠାରେ ପ୍ରସ୍ତାବିତ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟରେ ଶିଥିଳତା ଓ ବସଷ୍ଟାଣ୍ଡ ଜାଗାରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣକୁ ବିରୋଧ କରି ସିଭିଲ ସୋସାଇଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦିଆଯାଇଛି । ବାଲେଶ୍ଵର ସହରର ବର୍ଦ୍ଧିତ ଜନସଂଖ୍ୟା ଓ ବର୍ଦ୍ଧିତ ବସ ଚଳାଚଳକୁ ନେଇ ୨୦୧୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଏକ ଉନ୍ନତ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଶିଳାନ୍ୟାସ ଦିଆଯାଇଥିଲା । ହେଲେ ଆଜି ଯାଏଁ ନିର୍ମାଣ କାର୍ଯ୍ୟ ଆରମ୍ଭ ନହୋଇଥିବା ବେଳେ ଏବେ ସେଠାରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ବ୍ରିଟ ଯୋଜନା କରିଥିବା ଜଣାପଡ଼ିଛି । ଯାହାକୁ ନେଇ ସାଧାରଣରେ ତୀବ୍ର ହୋଇଛି ଅସନ୍ତୋଷ ପ୍ରକାଶ ପାଇଛି । ଏହାର ଫଳ ସ୍ବରୂପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି ।
ପ୍ରକାଶ ଥାଉକି, ଗତ ୨୦୧୦ ମସିହାରେ ଜାନୁଗଞ୍ଜ ଗୋଲେଇ ଛକ ନିକଟ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଗଣେଶ୍ବରପୁର ମୌଜାରେ ମୁଖ୍ୟମନ୍ତ୍ରୀ ୮ ଏକର ପରିମିତ ଜମିରେ ଏକ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ । ଏହି ଜମିର ଚତୁଃପାର୍ଶ୍ବରେ ବ୍ରିଟ ଦ୍ବାରା ପାଚେରୀ ନିର୍ମାଣ ମଧ୍ୟ କରାଯାଇଥିଲା । ମାତ୍ର ତାହା ଆଜିଯାଏ ସେତିକିରେ ସୀମିତ ରହିଛି । ଅନ୍ୟପଟେ ସହଦେବଖୁଣ୍ଟା ଠାରେ ଥିବା ବସଷ୍ଟାଣ୍ଡରେ ଗୃହ ନିର୍ମାଣ ଯୋଗୁଁ ଏବେ ଏହି ରାସ୍ତାରେ ଯିବାଆସିବା ବ୍ୟାଘାତ ହେଉଛି । ତେଣୁ ସହରର ଜନସଂଖ୍ୟା ଓ ଯାତାୟତର ସୁବିଧା ପାଇଁ ଏହି ପ୍ରସ୍ତାବିତ ଶିଳାନ୍ୟାସକୁ ବାଲେଶ୍ବରବାସୀ ସ୍ବାଗତ କରିଥିଲେ । ମାତ୍ର ଚଳିତ ବର୍ଷ ଏହି ପ୍ରସ୍ତାବିତ ବସଷ୍ଟାଣ୍ଡ ଜମିରୁ ସାଢ଼େ ଛଅ ଏକର ଜମି ଉପରେ ବହୁତଳ ଫ୍ଲାଟ୍ ଓ ବ୍ୟବସାୟ ଗୃହ ନିର୍ମାଣ କରାଯାଇ ବ୍ୟକ୍ତିବିଶେଷଙ୍କୁ ବିକ୍ରି କରିବାକୁ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଛି ।
ରାଜ୍ୟ ଓ ଜିଲ୍ଲା ପ୍ରଶାସନର ଏହି ଅପରିଣାମଦର୍ଶୀ ନିଷ୍ପତ୍ତିକୁ ସିଭିଲ ସୋସାଇଟି ଓ ବିଭିନ୍ନ ସାମାଜିକ ସଂଗଠନ ବିରୋଧ କରି ଜିଲ୍ଲାପାଲଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିଲେ । ଜିଲ୍ଲାପାଳ ତଥା ବ୍ରିଟ୍ର ଅଧ୍ୟକ୍ଷ ଏଥିପାଇଁ ତୃତୀୟଥର ଟେଣ୍ଡର ଆହ୍ବାନ କରିଛନ୍ତି । ଜିଲ୍ଲାପାଳଙ୍କର ବାଲେଶ୍ବରବାସୀଙ୍କ ଏହି ସ୍ବାର୍ଥବିରୋଧୀ କାର୍ଯ୍ୟକୁ ସିଭିଲ ସୋସାଇଟି ଦୃଢ଼ ବିରୋଧ କରିଛି । ଅନ୍ୟପଟେ ସହଦେବଖୁଣ୍ଟାରେ ଥିବା ପୁରୁଣା ବସ୍ଷ୍ଟାଣ୍ଡକୁ ନବୀକରଣ ଆଳରେ ୮ କୋଟିରୁ ଊର୍ଦ୍ଧ୍ବ ସରକାରୀ ଟଙ୍କା ବ୍ୟୟରେ ବସଷ୍ଟାଣ୍ଡ ଭିତରେ ବ୍ୟବସାୟ କେନ୍ଦ୍ର ଓ ହୋଟେଲ ପ୍ରଭୃତି ପାଇଁ ନିର୍ମାଣ କାର୍ଯ୍ୟ ଚାଲିଛି । ଏହି ନିର୍ମାଣ କାର୍ଯ୍ୟ ସରିବା ପରେ ସେଠାରେ ମାତ୍ର ୩୧ଟି ବସ୍ ରହିବାର ସ୍ଥାନ ଦିଆଯାଇଛି । ବାଲେଶ୍ବରରେ ୩୦୦ରୁ ଊର୍ଦ୍ଧ୍ବ ଘରୋଇ ବସ୍ ଚଳାଚଳ କରୁଥିବା ବେଳେ କାହିଁକି ବସଷ୍ଟାଣ୍ଡ ସଙ୍କୁଚିତ କରାଯାଉଛି ବୋଲି ପ୍ରଶ୍ନ ଉଠିଛି ।