ବାଲେଶ୍ବର:ବଚସାରୁ ପ୍ରେମିକାକୁ ଏସିଡ ମାଡ ଘଟଣା । 6 ଦିନ ଧରି ଜୀବନ ମରଣ ସହ ସଂଗ୍ରାମ କରିବା ପରେ ଶେଷରେ ଆଖି ବୁଜିଲେ ବାଲେଶ୍ବରର ଏସିଡ ପୀଡିତା । କଟକ ବଡ଼ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବତୀ ହେଉଛନ୍ତି ବନିତା ସିଂ । ବଚସାକୁ ନେଇ ଗତ 20 ତାରିଖରେ ସଦର ଥାନା ଅଧିନ ଭୀମପୁର ଅଞ୍ଚଳରେ ତାଙ୍କ ପ୍ରେମିକ ବନିତାଙ୍କ ସହ ତାଙ୍କର ବଡ଼ ଭଉଣୀ ଓ ଦୁଇ ପୁଅ ଝିଅଙ୍କ ଉପରକୁ ଏସିଡ ଫିଙ୍ଗିଥିଲେ । ଏସିଡ ଫିଙ୍ଗିଥିବା ଯୁବକ ହେଉଛନ୍ତି ନୀଳଗିରି ଥାନା ସନ୍ତରାଗଡ଼ିଆ ଅଞ୍ଚଳର ଚନ୍ଦନ ରଣା ।
ଏହି ଘଟଣାରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଅଟକ ରଖିଛି । ଏହି ଘଟଣା ଭିଆଇବା ପାଇଁ ସମ୍ପୃକ୍ତ ମହିଳା ଜଣଙ୍କ ଚନ୍ଦନ ରଣାଙ୍କୁ ଉସକାଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ମୁଖ୍ୟ ଅଭିଯୁକ୍ତ ଚନ୍ଦନ ମହାରଣା ବର୍ତ୍ତମାନ ଫେରାର ଥିବାବେଳେ ତାର ଦୁଇଜଣ ସହଯୋଗୀ ମଧ୍ୟ ଫେରାର ରହିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଚନ୍ଦନ ମହାରଣା ପୂର୍ବରୁ ବିବାହିତ ଥିବାବେଳେ ସେ ଭୀମପୁରା ଅଞ୍ଚଳର ଯୁବତୀ ବନିତା ସିଂଙ୍କୁ ପ୍ରେମ କରୁଥିଲେ । ଉଭୟଙ୍କ ପ୍ରେମ ସମ୍ପର୍କ ବେଶ ନିବିଡ଼ ହେବାପରେ ଉଭୟ ମନ୍ଦିରରେ ବିବାହ କରିଥିଲେ । ମାତ୍ର ଧୀରେ ଧୀରେ ସମ୍ପର୍କରେ ଫାଟ ସୃଷ୍ଟି ହେବା ଆରମ୍ଭ ହୋଇଥିଲା । ବନିତା ଚନ୍ଦନ ପୂର୍ବରୁ ବିବାହିତ ଥିବା ଜାଣିବା ପରେ ସବୁବେଳେ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହୁଥିଲା । ଏନେଇ ଥାନାରେ ଉଭୟଙ୍କ ମଧ୍ୟରେ ବୁଝାମଣା ମଧ୍ୟ ହୋଇଥିଲା । ଚନ୍ଦନ ଓ ସମ୍ପୃକ୍ତ ଯୁବତୀଙ୍କ ମଧ୍ୟରେ ଅଧିକାଂଶ ସମୟରେ ବଚସା ଲାଗି ରହୁଥିଲା । ଯାହା ପର ମୁହୁର୍ତ୍ତରେ ତୀବ୍ର ରୂପ ଧାରଣ କରିଥିଲା ।