ଓଡିଶା

odisha

ETV Bharat / state

ନୂଆ-ଓ ପାଇଁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାତିଲ, ବିରୋଧ କଲା ଏବିଭିପି - ନୂଆ ଓଡିଶା ଯୋଜନାକୁ ବିରୋଧ

AVBP criticizes Odisha government: ରାଜ୍ୟ ସରକାରଙ୍କ ନୂଆ ଓଡ଼ିଶା ଯୋଜନାକୁ ଏଭିବିପିର ବିରୋଧ । ଯୋଜନା ଆଳରେ ଦଳୀୟ ପ୍ରଚାର ପ୍ରସାର କରୁଥିବା ଅଭିଯୋଗ । କାର୍ଯ୍ୟକ୍ରମ ଯୋଗୁଁ କଲେଜରେ ପରୀକ୍ଷା ବାତିଲ କରାଯାଉଥିବାକୁ ନେଇ ବିଜେଡିକୁ ସମାଲୋଚନା କଲା ବିଜେପି । ଅଧିକ ପଢନ୍ତୁ

AVBP criticizes Odisha government
ନୂଆ-ଓ ପାଇଁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାତିଲ

By ETV Bharat Odisha Team

Published : Jan 6, 2024, 11:14 AM IST

ବାଲେଶ୍ବର:ରାଜ୍ୟ ସରକାରଙ୍କ ନୂଆ-ଓ ଯୋଜନାକୁ ବିଜେପିର ବିରୋଧ । ନୂଆ-ଓ ନାମରେ ବିଜେଡି ନିଜର ଦଳୀୟ ପ୍ରଚାର ପ୍ରସାର କରୁଥିବା ଅଭିଯୋଗ ଆଣିବା ସହ ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛି ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ । ଏମିତି କାର୍ଯ୍ୟକ୍ରମ ଯୋଗୁଁ ବାରମ୍ବାର କଲେଜରେ ପରୀକ୍ଷା ବାତିଲ ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଥିବା ଅଭିଯୋଗ କରିଛି ଏବିଭିପି । ଏନେଇ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଏହି କାର୍ଯ୍ୟକ୍ରମ ଏବଂ ଏହା ପଛରେ ଥିବା ହୀନ ଉଦ୍ଦେଶ୍ୟକୁ ବିରୋଧ କରି ସରକାରଙ୍କ ଉପରେ ବର୍ଷିଛି ଏବିଭିପି ।

ବର୍ତ୍ତମାନ ସାରା ରାଜ୍ୟରେ ସବୁ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟମାନଙ୍କରେ ନୂଆ-ଓ ଯୋଜନା ଅଧିନରେ କାର୍ଯ୍ୟକ୍ରମମାନ କରାଯାଉଛି । ଏହି ଯୋଜନା ଆଳରେ ରାଜ୍ୟ ସରକାର ଦଳୀୟ ପ୍ରଚାର ପ୍ରସାର କରୁଥିବା ଅଭିଯୋଗ ଆଣିଛି ଏଭିବିପି । ଏବିଭିପି ପକ୍ଷରୁ ଆଉ ମଧ୍ୟ କୁହାଯାଇଛି, "କାର୍ଯ୍ୟକ୍ରମ ନାମରେ ବିଜେଡି କଲେଜ କ୍ୟାମ୍ପସରେ ଭେଦଭାବ ସୃଷ୍ଟି କରୁଛି । ମହାବିଦ୍ୟାଳୟମାନଙ୍କରେ ଉନ୍ନତିକରଣ ନାମରେ ଶାସକ ଦଳର ରାଜନୀତିକରଣ ବୃଦ୍ଧି ହେବାରେ ଲାଗିଛି । ମହାବିଦ୍ୟାଳୟରେ ଅଧ୍ୟାପକ ପଦବୀ ଖାଲି ପଡିଥିବା ବେଳେ ସେନେଇ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । କିନ୍ତୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ଶାସକ ଦଳ ନୀରବ ରହି ମନମୁଖୀ ଶାସନ ଚଳାଇଛି ।"

ଏହାମଧ୍ୟ ପଢନ୍ତୁ.. ଶୁକତେଲ ପ୍ରକଳ୍ପ ନେଇ ତେଜିଲା ଶ୍ରେୟ ରାଜନୀତି, କଂଗ୍ରେସ-ବିଜେଡି ମୁହାଁମୁହିଁ

ଅନ୍ୟପଟେ କଲେଜଗୁଡିକରେ ଅଧ୍ୟାପକ ପଦବୀ ଖାଲି ପଡିରହିଥିବା, ରମାଦେବୀ ବିଶ୍ବବିଦ୍ୟାଳୟରେ ପାଚେରୀ ଭୁଶୁଡ଼ିବା, ଭଦ୍ରକ ମହାବିଦ୍ୟାଳୟରେ ଜାଲ୍ ସାର୍ଟିଫିକେଟ, ଉତ୍କଳ ବିଶ୍ବବିଦ୍ୟାଳୟରେ ଅଣଛାତ୍ର ପ୍ରବେଶ କରି ଅଶାନ୍ତି ସୃଷ୍ଟି ଘଟଣା ପ୍ରମୁଖକୁ ଉପସ୍ଥାପନ କରି ରାଜ୍ୟ ସରକାରଙ୍କ ଶିକ୍ଷା ବ୍ୟବସ୍ଥାକୁ ସମାଲୋଚନା କରିଛି ଏଭିବିପି । ଆହୁରି ମଧ୍ୟ ବର୍ତ୍ତମାନ ଶାସକ ଦଳ ଛାତ୍ର ସଂସଦ ନିର୍ବାଚନକୁ ସ୍ଥଗିତ ରଖି ଛାତ୍ରମାନଙ୍କ ମୌଳିକ ସମସ୍ୟାକୁ ଅଣଦେଖା ଓ ସେମାନଙ୍କ ଅଧିକାର କ୍ଷୁର୍ଣ୍ଣ କରୁଛି । ଆଜିକୁ ୨୩ ବର୍ଷ ହେଲା ରାଜ୍ୟ ସରକାର ଶିକ୍ଷା ସମସ୍ୟା ପ୍ରତି ଅଣଦେଖା କରିବା ଏବଂ ହଠାତ୍‌ ନୂଆ-ଓଡ଼ିଶା, ନବୀନ ଓଡ଼ିଶା କରିବାର ଆବଶ୍ୟକତା କାହିଁକି ପଡ଼ିଲା ତାହା ସବୁଠୁ ବଡ଼ ପ୍ରଶ୍ନବାଚୀ ବୋଲି ଏବିଭିପି କହିଛି ।

ଏହାସହ ନୂଆ-ଓ ନାମରେ ମହାବିଦ୍ୟାଳୟମାନଙ୍କରେ ସଭା କରି ସେଥିରେ ସ୍ଥାନୀୟ ଜନ ପ୍ରତିନିଧି ଓ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ନିୟୋଜିତ କରି ଶିକ୍ଷାନୁଷ୍ଠାନର ମାନ ଭଙ୍ଗ କରାଯାଇଛି ବୋଲି ଅଭିଯୋଗ କରିଛି ଏବିଭିପି । ଏମିତିକି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ବାହାନାରେ ବାରମ୍ବାର ସେମିଷ୍ଟର ପରୀକ୍ଷା ବାତିଲ କରାଯାଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦିଆଯାଉଥିବା ଅଭିଯୋଗ କରିଛି । ସିଧାସଳଖ ଭାବେ ନୂଆ-ଓ କାର୍ଯ୍ୟକ୍ରମକୁ ତୀବ୍ର ବିରୋଧ କରିଛି ଏବିଭିପି ।

ଇଟିିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details