ବାଲେଶ୍ବର:ପୁଣି ଏଟିଏମ ଲୁଟେରା ଗ୍ୟାଙ୍ଗକୁ କାବୁ କରିଲା ବାଲେଶ୍ୱର ପୋଲିସ । ଗ୍ୟାଙ୍ଗର ୮ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ଲୁଟରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ସେପଟେ ଜଣେ ଅଭିଯୁକ୍ତ ଫେରାର ରହିଛି । ଏନେଇ ବାଲେଶ୍ଵର ଏସପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଗ୍ୟାଙ୍ଗର କାରନାମା ସମ୍ପର୍କରେ ସୂଚନା ଦେଇଛନ୍ତି ।
ଏସପି ସାଗରିକା ନାଥଙ୍କ ସୂଚନା ଅନୁସାରେ, ବାଲେଶ୍ବର ପୋଲିସର ସ୍ବତନ୍ତ୍ର ଟିମ୍ ବାଲେଶ୍ବର, ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଡାଉ କରିଥିବା ବେଳେ ଏହି ଗ୍ୟାଙ୍ଗକୁ ଗିରଫ କରିଥିଲା । ଏନେଇ ଲୁଟେରାଙ୍କ ଠାରୁ ମାରଣାସ୍ତ୍ର, ଲୁଟରେ ବ୍ୟବହୃତ ଗ୍ୟାସ୍ କଟ୍ଟର, ଗ୍ୟାସ ଟାଙ୍କି, ତେଲେଙ୍ଗା କଟୁରୀ, 8ଟି ମୋବାଇଲ, ଯନ୍ତ୍ରପାତି ମଧ୍ୟ ଜବତ କରାଯାଇଛି । ଏଥିସହ ଘଟଣାରେ ଜଣେ ଅଭିଯୁକ୍ତ ଫେରାର ଥିବା ଏସପି ସୂଚନା ଦେଇଛନ୍ତି । ତେବେ ଗତ ଡିସେମ୍ବର 28 ତାରିଖରେ ରସାଳପୁର, ଚଳିତ ମାସ 4 ତାରିଖରେ ଦୁର୍ଗାଦେବୀ, 6 ତାରିଖରେ ମୟୂରଭଞ୍ଜ ଜିଲ୍ଲାର କୁଆମରାରେ 3ଟି ଏଟିଏମରୁ ଲୁଟ ଉଦ୍ୟମ କରିଥିଲେ ଲୁଟେରା । ସିସିଟିଭି ଫୁଟେଜ ଓ ଗୋଇନ୍ଦା ତଥ୍ୟ ଆଧାରରେ ପୋଲିସକୁ ଏହି ସଫଳତା ମିଳିଥିବା ସୂଚନା ଦିଆଯାଇଛି ।
ଏହି ଗ୍ୟାଙ୍ଗରେ ଜଣେ ଭିନ୍ନକ୍ଷମ ବ୍ୟକ୍ତି ଗ୍ୟାସ ଟାଙ୍କି ସରକାରୀ ଦରରେ କିଣି ଲୁଟେରାମାନଙ୍କୁ ଯୋଗାଇ ଦେଉଥିଲେ । ଭିନ୍ନକ୍ଷମ ହୋଇଥିବାରୁ ତାଙ୍କୁ କେହି ସନ୍ଦେହ କରିବା ସହଜ ନ ଥିଲା । ଭିନ୍ନକ୍ଷମ ହେବାର ଫାଇଦା ଉଠାଇ ବ୍ୟକ୍ତି ଜଣଙ୍କ ଲୁଟ କରିବାରେ ସହଯୋଗ କରୁଥିଲେ । ତେବେ ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ସମସ୍ତେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି ।