ବାଲେଶ୍ବର: ସ୍ନେହ ମମତାର ଡୋରିରେ ବାନ୍ଧି ହୋଇଛନ୍ତି ମଣିଷ ଓ ବାଦୁଡି। ଯେଉଁଠି ନା ଅଛି ସ୍ବାର୍ଥ ନା ଅଛି ଧୋକା। ଅଛି ତ କେବଳ ଦୁହିଁଙ୍କ ଭିତରେ ଏକ ନିବିଡ ସମ୍ପର୍କ। ମଣିଷ ଭଳି ବାଦୁଡି ବି ଖାଉଛି ସମସ୍ତ ଖାଦ୍ୟ ଆଉ ବାଣ୍ଟୁଛି ସ୍ନେହ ଓ ପ୍ରେମ। କଥା କହି ପାରୁ ନଥିଲେ ବି ଇସାରାରେ ଅନେକ କଥା ବଖାଣି ହୋଇଯାଉଛି। ଏମିତି ସ୍ନେହ ପ୍ରେମର ଡୋର ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଓସଙ୍ଗ ଗାଁରେ।
ଅମୂଲ୍ୟ ବେହେରାଙ୍କ ଘରକୁ ପ୍ରାୟ 10 ବର୍ଷ ତଳେ ଏକ ବାଦୁଡି ଆପେଆପେ ଆସି ବାରଣ୍ଡାରେ ପଡିଥିଲା। ପରିବାର ଲୋକେ ବାଦୁଡିଟିକୁ ପାଣି ଓ କ୍ଷୀର ପିଆଇ ସୁସ୍ଥ କରାଇଥିଲେ। ବାସ୍ ସେହିଦିନ ଠାରୁ ବାଦୁଡି ପାଲଟି ଯାଇଛି ଅମୂଲ୍ୟଙ୍କ ପରିବାର ସଦସ୍ୟ। ଏବେ ବାଦୁଡିଟି ପିଜୁଳି, ନଡିଆ, କଦଳୀ, ଅଙ୍ଗୁର, ସେଓ ଆଦି ଖାଦ୍ୟ ଖାଉଥିବା ବେଳେ ମୃଦୁ ଥଣ୍ଡା ପାନୀୟ ମଧ୍ୟ ପିଉଥିବା ଦେଖିବାକୁ ମିଳିଛି। ଘର ଅଗଣାରେ ଅତି ଆନନ୍ଦରେ ବାଦୁଡିଟି ଖେଳି ବୁଲୁଛି। ଅମୂଲ୍ୟ ଜଣେ ଚାଷୀ ହୋଇଥିବା ବେଳେ ତାଙ୍କର ସ୍ଥାନୀୟ ବଜାରରେ ଏକ ଛୋଟିଆ ପରିବା ଦୋକାନ ରହିଛି। ଯେଉଁଥିରୁ ଯାହା ରୋଜଗାର ହୁଏ ସେଥିରେ ବାଦୁଡି ପାଇଁ ଦୈନିକ 100 ଟଙ୍କା ଖର୍ଚ୍ଚ କରନ୍ତି। ନିଜର ପିଲା ଭଳି ଅମୂଲ୍ୟ ସେଇ ବାଦୁଡିର ଯତ୍ନ ନେଇଥାନ୍ତି। ମଝିରେ ମଝିରେ ବାଦୁଡିଟି ଅଗଣାରୁ ଉଡିଯାଇ ପୁଣି ଫେରି ଆସିଥାଏ। ବାଦୁଡିର ଫେରିବା ଡେରି ହେଲେ ପରିବାର ଲୋକ ବ୍ୟସ୍ତ ହୋଇ ପଡନ୍ତି।