ବାଲେଶ୍ଵର: ଖନ୍ତାପଡ଼ାସ୍ଥିତ ଫାଲକନ ମେରାଇନ ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ବଡ ଅଘଟଣ । ଗ୍ୟାସ ଲିକ ହୋଇ 98 ଜଣ ବାଲେଶ୍ବର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ମାମଲା ପରେ ଫାଇକନ ମେରାଇନକୁ ସିଲ୍ କରାଯାଇଛି । ଗୁରୁବାର ସ୍ବତନ୍ତ୍ର ସାଇଣ୍ଟିଫିକ ଟିମ ପହଞ୍ଚି ସ୍ଥିତି ସମୀକ୍ଷା କରିବେ । ଏପଟେ ଏ ନେଇ ଖନ୍ତପଡା ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇ 7ଜଣଙ୍କୁ ଗିରଫ କରାଯାଇଛି । ଶିଶୁ ଶ୍ରମିକଙ୍କୁ କାମ କରାଉଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି । ଏହାସହ କେସ ନମ୍ବର 258/19 ଅନ୍ତର୍ଗତ ଆଇପିସି ଧାରା 308, 324, 326, 294, 358, 14, 35ରେ ଗିରଫ କରାଯାଇଛି ।
ତେବେ ଲିକ ହୋଇଥିବା ଗ୍ୟାସ କ୍ଲୋରିନ ବୋଲି କୁହାଯାଇଛି । ତେବେ ଏହା କଣ ତାହା ତଦନ୍ତ ପରେ ଜଣାପଡିବ ବୋଲି ଜିଲ୍ଲାପାଳ କହିଛନ୍ତି । ଅନ୍ୟପକ୍ଷେ ମଧ୍ୟରାତ୍ରରେ ମେଡିକାଲରେ ପହଞ୍ଚିଥିଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ। ମେଡିକାଲ ପରିଦର୍ଶନ କରି ଅସୁସ୍ଥଙ୍କ ଅବସ୍ଥା ପଚାରି ବୁଝିବା ସହ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିବା ଜଣାପଡିଛି । ଅସୁସ୍ଥଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବାବେଳେ ଶିଶୁ ଶ୍ରମିକ କାମ କରିବା ନେଇ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ମୟୂରଭଞ୍ଜ ଓ କଟକରୁ ଡାକ୍ତର ବାଲେଶ୍ଵର ମେଡିକାଲରେ ପହଞ୍ଚିଥିବା ଜଣାପଡିଛି ।