ବାଲେଶ୍ବର: ଜିଲ୍ଲାର ସହଦେବଖୁଣ୍ଟା ଥାନା ଅଧୀନ ଭୀମପୁରା ଛକ ନିକଟରେ ଏସିଡ ମାଡ଼ । ପ୍ରେମିକା ଓ ସମ୍ପର୍କୀୟଙ୍କୁ ପ୍ରେମିକ ଜଣକ ଏସିଡ ଫିଙ୍ଗିଥିବା ବେଳେ ଏଥିରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ପ୍ରେମିକା, ପ୍ରେମିକାଙ୍କ ଭଉଣୀ ଓ ତାଙ୍କ ଭଉଣୀଙ୍କ କୁନି ପୁଅଝିଅ ରହିଥିବା ଜଣାପଡ଼ିଛି । ପ୍ରେମିକା ଓ ତାଙ୍କ ସମ୍ପର୍କୀୟଙ୍କ ସହିତ ବଚସା ହେବା ପରେ ଅଭିଯୁକ୍ତ ପ୍ରେମିକ ଏସିଡ ଫିଙ୍ଗିଥିବା ଜଣାପଡ଼ିଛି । ଯୁବକ ଜଣକ ନୀଳଗିରି ଥାନା ସନ୍ତରାଗଡ଼ିଆ ଅଞ୍ଚଳର ହୋଇଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏସିଡ ମାଡ଼ କରିଥିବା ଯୁବକର ନାମ ଚନ୍ଦନ ରଣା ବୋଲି ଜଣାପଡ଼ିଛି । ଚନ୍ଦନ ପୂର୍ବରୁ ବିବାହିତ ହୋଇଥିବା ଭୀମପୁରା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ଉଭୟଙ୍କ ପ୍ରେମ ସମ୍ପର୍କ ବେଶ ନିବିଡ଼ ହେବାପରେ ଉଭୟ ମନ୍ଦିରରେ ବିବାହ କରିଥିବା ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁସାରେ ପୀଡି଼ତା ଜଣକ ଚନ୍ଦନ ପୂର୍ବରୁ ବିବାହିତ ଥିବା ନେଇ ଜାଣିନଥିଲେ । ସେ ବିବାହିତ ଥିବା ଜାଣିବା ପରେ ସମ୍ପର୍କରେ ଫାଟ ଆରମ୍ଭ ହୋଇଥିଲା । ଚନ୍ଦନ ପୂର୍ବରୁ ବିବାହିତ ଜାଣିବା ପରେ ସବୁବେଳେ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହୁଥିଲା ।