ବାଲେଶ୍ବର: ମାଇଁଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ଭଣଜାକୁ ଦଣ୍ଡାଦେଶ । ଗୁରୁବାର ବାଲେଶ୍ବର ଜିଲ୍ଲା ଅତିରିକ୍ତ ଦୌରାଜଜ ସୁବାଷ କୁମାର ବେହାରୀ ସମ୍ପୃକ୍ତ ଘଟଣାର ବିଚାର କରି ଦୋଷୀକୁ 10 ବର୍ଷର ଜେଲ ଦଣ୍ଡାଦେଶ କରିଛନ୍ତି । ଏଥିସହ 7 ହଜାର ଟଙ୍କାର ଜୋରିମାନା ଓ ଅନାଦେୟରେ ଅଧିକ ଏକ ବର୍ଷ ଜେଲ ଦଣ୍ଡାଦେଶ ପାଇଁ ରାୟରେ ଉଲ୍ଲେଖ କରିଛନ୍ତି ।
ସୂଚନା ଅନୁଯାୟୀ ଜିଲ୍ଲା ଶିଳ୍ପାଞ୍ଚଳ ଥାନା ନରହରିପୁର ଗାଁରେ ରହୁଥିବା ଭଣଜା ଶଶଧର ମଣ୍ଡଳ ନିଜ ମାଇଁଙ୍କ ସହ ସମ୍ପର୍କ ଗଢିଉଠିଥିଲା । ହେଲେ 2017 ମସିହା ଏପ୍ରିଲ 5 ତାରିଖରେ ମାଇଁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ପରେ ଜଣାପଡିଥିଲା ଯେ ଭଣଜା ତାଙ୍କ ସହ ଦୁଷ୍କର୍ମ କରିଥିଲା । ତେବେ ମାଇଁଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କର ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରିଥିଲା ପୋଲିସ ।
ଏହି ଜମାନବନ୍ଦୀ ଅନୁଯାୟୀ ଭଣଜା ଶଶଧର ମାଇଁଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କୁ ଓ ତାଙ୍କ ସ୍ବାମୀଙ୍କୁ ମାରିଦେବାର ଧମକ ଦେଇଥିଲା । ଏହାକୁ ସହି ନପାରି ମହିଳା ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ବୟାନ ରେକର୍ଡ ପରେ ମହିଳାଙ୍କ କଟକ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରଦିନ ମୃତ ମହିଳାଙ୍କ ଅଭିଯୋଗ ଆଧାରରେ 41/17 ନମ୍ବରରେ ଏକ ମାମଲା ରୁଜୁ କରିଥିଲା ପୋଲିସ । ଥାନାର ତତ୍କାଳୀନ ଅଧିକାରୀ ଅଶୋକ କୁମାର ମହାନ୍ତି ସମ୍ପୃକ୍ତ ମାମଲାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଶଶଧରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।
ପରେ ଏହା ଜିଲ୍ଲା ଅଦାଲତରେ ଏସ୍ଟି ନମ୍ବର 21/2202017ରେ ରୁଜୁ ହୋଇ ମାମଲା ବିଚାରାଧୀନ ଥିଲା। ଏଥିରେ 16 ଜଣ ସାକ୍ଷୀ ଓ 18ଟି ଦସ୍ତାବିଜକୁ ଭିତ୍ତି କରି ବିଚାରପତି ବେହାରି ଗୁରୁବାର ଅଭିଯୁକ୍ତ ଶଶଧର ମଣ୍ଡଳକୁ ଦୋଷୀସାବ୍ୟସ୍ତ କରି ଦଣ୍ଡାଦେଶ କରିଛନ୍ତି । ଏହି ମାମଲାକୁ ସରକାରୀ ଓକିଲ ଦୀପକ କୁମାର ଦାଶ ପରିଚାଳନା କରିଥିଲେ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ