ବାଲେଶ୍ବର: ଏସିଡ ମାଡ଼ କରିଥିବା ମୁଖ୍ୟ ଅଭିଯୁକ୍ତ ଗିରଫ। ବାଲେଶ୍ଵର ଜିଲ୍ଲା ସହଦେଵଖୁଣ୍ଟା ଥାନା ଅଧିନ ଭୀମପୁରା ଛକ ନିକଟରେ ଗତ 20 ତାରିଖରେ ହୋଇଥିବା ଏସିଡ ମାଡ଼ ଘଟଣାରେ ସହଦେଵଖୁଣ୍ଟା ପୋଲିସ ଏହାର ଖୁଲାସା କରିଛି। ଏନେଇ ବାଲେଶ୍ଵର ଏସପି ସାଗରିକା ନାଥ ସବିଶେଷ ତଥ୍ୟ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଦେଇଛନ୍ତି । ତେବେ ଏସପିଙ୍କ ସୂଚନା ଅନୁସାରେ, ଗତ ଫେବୃଆରୀ ମାସ 20 ତାରିଖ ଦିନ ଭୀମପୁରା ଅଞ୍ଚଳର ଯୁବତୀ ବନିତା ସିଂ ଓ ତାଙ୍କର ଭଉଣୀ ସମେତ 2ଜଣ ଛୋଟ ପିଲାଙ୍କ ଉପରେ ସନ୍ତରା ଗଡ଼ିଆ ଅଞ୍ଚଳର ଚନ୍ଦନ ରଣା ଏସିଡ ଫିଙ୍ଗି ଦେଇଥିଲେ। ଯାହା ଦ୍ୱାରା 4 ଜଣ ଗୁରୁତର ହୋଇଥିଲେ। ଏଥିରେ ବନିତା ସିଂ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର ହୋଇଥିଲେ। ସପ୍ତାହେ ତାଙ୍କର ଚିକିତ୍ସା ପରେ ମଧ୍ୟ ଶେଷରେ ବନିତା 27 ତାରିଖରେ ପ୍ରାଣ ହରାଇଥିଲେ। ଏହି ଘଟଣାକୁ ପୋଲିସ ଗୁରୁତର ସହ ନେଇ ଏହା ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ତଦନ୍ତ ରୁ ଜାଣିବାକୁ ପାଇଥିଲା। ଏମିତି ଘଟଣା ଘଟାଇଥିବା ପଛରେ ଚନ୍ଦନ ଓ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ସମେତ ଅନ୍ୟ 6 ଜଣଙ୍କ ହାତ ରହିଥିଲା। ଚନ୍ଦନ ବିବାହିତ ହୋଇ ମଧ୍ୟ ମୃତ ବନିତାଙ୍କୁ ମନ୍ଦିରରେ ବିବାହ କରିଥିଲେ। ବନିତା ଓ ତାଙ୍କ ପରିବାର ଚନ୍ଦନ ପୂର୍ବରୁ ବିବାହିତ ବୋଲି ଜାଣିବା ପରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ଲାଗି ରହୁଥିଲା।
ଏଥିପାଇଁ ସବୁଦିନ ପାଇଁ ବନିତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଚନ୍ଦନ ଯୋଜନା କରିଥିଲା। ତେଣୁ ରେମୁଣା ଅଞ୍ଚଳର ଏକ ଦୋକାନରୁ ଏସିଡ ଓ ପେଟ୍ରୋଲ କିଣିବା ପରେ ବନିତାଙ୍କୁ ଦେଖା କରିବା ବାହାନାରେ ତାଙ୍କ ଘରକୁ ଆସି ଏସିଡ ମାଡ଼ କରିଥିଲା। ଏହି ଘଟଣା ପଛରେ ଥିବା 2ଜଣ ମହିଳାଙ୍କ ସମେତ 6 ଜଣଙ୍କୁ ଗିରଫ କରାଯାଇଥିଲା। ଏବେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଆଉ ଜଣେ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ। ଘଟଣା ଘଟାଇବା ପରେ ମୁଖ୍ୟ ଅଭିଯୁକ୍ତ ଚନ୍ଦନ ରଣା ଫେରାର ହୋଇ ଯାଇଥିଲେ। ଚନ୍ଦନ ପ୍ରଥମେ ଘଟଣା ଘଟାଇବା ପରେ ଏକ ବାଇକ ଯୋଗେ ଜଳେଶ୍ବର ଯାଇ ସେଠାରୁ କୋଲକାତା ଅଭିମୁଖେ ଯାଇଥିଲେ। ସେଠାରେ କିଛିଦିନ ରହି ପରେ ସେଠାରୁ ସେ ଅନ୍ୟ ରାଜ୍ୟକୁ ପଳାଇଥିଲେ। ତାଙ୍କୁ ଫେରାର କରିବାରେ ସହଯୋଗ କରିଥିବା ସମସ୍ତଙ୍କୁ ଗିରଫ କରିଥିଲା ପୋଲିସ।