ଓଡିଶା

odisha

ETV Bharat / state

ନାରୀ ସଶକ୍ତିକରଣର ଜ୍ବଳନ୍ତ ଉଦାହରଣ ଦିବ୍ୟାଙ୍ଗ ଉର୍ମିଳା - ବାଲେଶ୍ବରର ଦିବ୍ୟାଙ୍ଗ ମହିଳା ଉର୍ମିଳା

ଆଜିର ନାରୀ ସବୁ କ୍ଷେତ୍ରରେ ପୁରୁଷଙ୍କ ସହ ସମକକ୍ଷ । ବଦଳୁଥିବା ସମାଜରେ ସମୟ ସହ ତାଳ ଦେଇ ନାରୀଟିଏ ବି ଆତ୍ମନିର୍ଭରଶୀଳ ହୋଇପାରୁଛି । ତେବେ ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା । ଆମେ କହୁଛୁ ଦିବ୍ୟାଙ୍ଗ ଉର୍ମିଳାଙ୍କ କଥା...

balasore
ଦିବ୍ୟାଙ୍ଗ ମହିଳା ଉର୍ମିଳା ଅନ୍ୟଙ୍କ ପାଇଁ ପ୍ରେରଣା

By

Published : Mar 11, 2020, 8:40 PM IST

Updated : Mar 11, 2020, 8:56 PM IST

ବାଲେଶ୍ଵର: ସତରେ ଜଣେ ଦୃଢମନା ମଣିଷ ଆଗରେ ସବୁକିଛି ସମ୍ଭବ କରିବାର କ୍ଷମତା ରହିଥାଏ । ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆଜିର ସ୍ୱାର୍ଥବାଦୀ ସମାଜରେ ଆଗକୁ ବଢି ନିଜ ସହ ଅନ୍ୟର ପରିବାର ଚଳାଇବାରେ ସେ ହେଉଛନ୍ତି ସହାୟକ । ଦୁନିଆ ଯେବେ ତାଙ୍କୁ ଦିବ୍ୟାଙ୍ଗର ଆଖ୍ୟା ଦେଇଥିଲା ସେତେବେଳେ ସେ ନିଜକୁ ସକ୍ଷମ ଭାବି ଦୁନିଆ ଦାଣ୍ଡରେ ନିଜର ଅନ୍ତର୍ନିହିତ ଗୁଣର ବିକାଶ କରି ଅନ୍ୟମାନଙ୍କ ପାଇଁ ପାଲଟି ଗଲେ ପ୍ରେରଣା। ନିଜର ଅକ୍ଷମତାକୁ କେବେବି ସେ ଦୁର୍ବଳତା ବୋଲି ନଭାବି ନିଜର ପରିବାର ତଥା ଅନ୍ୟର ପରିବାର କଥା ସେ ଚିନ୍ତା କରିଛନ୍ତି । ଆମେ କହୁଛୁ ସେମିତି ଜଣେ ଦିବ୍ୟାଙ୍ଗ ମହିଳା ଉର୍ମିଳାଙ୍କ କଥା।

ଦିବ୍ୟାଙ୍ଗ ମହିଳା ଉର୍ମିଳା ଅନ୍ୟଙ୍କ ପାଇଁ ପ୍ରେରଣା
ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଉସଙ୍ଗ ଗ୍ରାମର ଉର୍ମିଳା ଧଳ । ପିଲାଟି ବେଳୁ ପୋଲିଓ ରେ ଆକ୍ରାନ୍ତ ହୋଇ ସେ ଚାଲିବାକୁ ଅକ୍ଷମ ହୋଇଛନ୍ତି। ମାତ୍ର ଏହି ଅକ୍ଷମତା ଓ ଭାଗ୍ୟକୁ ନିନ୍ଦା ନକରି ସେ ନିଜକୁ ସକ୍ଷମ କରିବା ପାଇଁ ଅଣ୍ଟା ଭିଡିଥିଲେ। ସ୍ଥାନୀୟ ଅନ୍ତରା ବଜାରରେ ଉର୍ମିଳା ଏକ ଟେଲର ଦୋକାନ ଆରମ୍ଭ କରି ଅନ୍ୟମାନଙ୍କୁ ଟେଲରିଂ ଶିଖାଇବା ଆରମ୍ଭ କରିଥିଲେ । ବର୍ତ୍ତମାନ ଉର୍ମିଳାଙ୍କ ପାଖରୁ ପ୍ରାୟ 2ଶହ ଜଣ ସିଲେଇ ଶିକ୍ଷା କରିବା ସହ ନିଜେ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି ।ଅନ୍ତରା ବଜାରରେ ଥିବା ଉର୍ମିଳାଙ୍କ ସିଲେଇ କେନ୍ଦ୍ରରେ ବର୍ତ୍ତମାନ ଦୁଇଜଣ ମହିଳା ଶିକ୍ଷା ଗ୍ରହଣ କରୁଥିବା ବେଳେ ଆଉ ଦୁଇଜଣ ଉର୍ମିଳାଙ୍କୁ ସହଯୋଗ କରୁଛନ୍ତି । ପ୍ରତିଦିନ ଆଖପାଖ ଲୋକଙ୍କ ସିଲେଇ କାର୍ଯ୍ୟ କରି ବେଶ ଦୁଇପାଇସା ନିଜେ ରୋଜଗାର କରିବା ସହ ଅନ୍ୟ ମହିଳାମାନଙ୍କୁ ମଧ୍ୟ ରୋଜଗାରର ପନ୍ଥା ଦେଇଛନ୍ତି ଉର୍ମିଳା। 30 ବର୍ଷ ଧରି ଉର୍ମିଳା ସିଲେଇ କରି ଲୋକଙ୍କ ଆବଶ୍ୟକତା ପୂରଣ କରି ନିଜ ପରିବାର ଚଳାଇବା ସହ ଅନ୍ୟ ମହିଳାଙ୍କ ପରିବାରର ଦାୟତ୍ୱ ମଧ୍ୟ ନେଇଛନ୍ତି ।

ସରକାର ନାରୀ ସଶକ୍ତିକରଣର ନାରା ଦେଉଥିବାବେଳେ ଏମିତି ଜଣେ ନାରୀ ଯିଏ ଅନ୍ୟ ନାରୀମାନଙ୍କୁ ସଶକ୍ତ କରାଉଛନ୍ତି ତାଙ୍କ ପ୍ରତି ଦୃଷ୍ଟି ପଡୁନି। ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ କେବେବି ଉର୍ମିଳା ଜୀବନ ବାଜିରେ ହାରି ନଯାଇ ଆଜି ଯେଉଁ ଉଦାହରଣ ସୃଷ୍ଟି କରିଛନ୍ତି ତାହା ସତରେ ପ୍ରଶଂସା ଯୋଗ୍ୟ । ଆଜିର ଏମିତି ଉଦ୍ୟୋଗୀ ମହିଳାମାନଙ୍କ ପ୍ରତି ସରକାରୀ ସ୍ତରରେ ଦୃଷ୍ଟି ପଡିବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Mar 11, 2020, 8:56 PM IST

ABOUT THE AUTHOR

...view details