ବାଲେଶ୍ବର: ଯେଉଁ ବୟସରେ ବାପା, ପୁଅ ରୋଜଗାର କିମ୍ବା ପୁଅଙ୍କ ଉପରେ ସବୁ ଦାୟିତ୍ବ ନ୍ୟସ୍ତ କରି ଶାନ୍ତିରେ ଟିକେ ବଞ୍ଚିବାକୁ ଚାହେଁ ସେହି ସମୟରେ ସେ ଦୁଇ ଦିବ୍ୟାଙ୍ଗ ପୁଅର ଭାର ଉଠାଇବାକୁ ପଡୁଛି । ବୟସର ଅପରାହ୍ନରେ ଭାଗ୍ୟକୁ ଆଦରି ସଂଘର୍ଷମୟ ଜୀବନ ବଞ୍ଚୁଛନ୍ତି ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ପରିଖି ପଞ୍ଚାୟତ ବଳରାମଗଡ଼ି ଗାଁର ବିଜୟ ଗିରି ।
ଦଇବ ସାଧିଛି ଦାଉ, ବାପା କାନ୍ଧରେ ଦୁଇ ଦିବ୍ୟାଙ୍ଗ ପୁଅଙ୍କ ବୋଝ ବିଜୟ ଜଣେ ଦିନ ମଜୁରିଆ, 48 ଡ଼ିସିମିଲ ଚାଷ ଜମିରେ ଚାଷ। ସେଇଥିରେ ପରିବାର କହିଲେ 5 ପ୍ରାଣୀ। ସେମାନଙ୍କ ଭରଣ ପୋଷଣ ପାଇଁ ରୋଜଗାର ନିଅଣ୍ଟ ହେଉଥିବା ବେଳେ ଘରେ ତାଙ୍କର ଦୁଇଟି ଦିବ୍ୟାଙ୍ଗ ପୁଅ । ବଡ଼ ପୁଅକୁ ଏବେ 32 ବର୍ଷ ହୋଇଥିବା ବେଳେ ସାନ ପୁଅକୁ 28। ଜନ୍ମରୁ ଦୁଇଭାଇ ମାନସିକ ସନ୍ତୁଳନ ହରାଇ ବସିଛନ୍ତି। ଗୋଟିଏ ଝିଅର ବାହାଘର ପରେ ଏବେ ଦୁଇ ଦିବ୍ୟାଙ୍ଗ ପୁଅଙ୍କୁ ନେଇ ବିଜୟ ସବୁବେଳେ ଚିନ୍ତାରେ ରହୁଛନ୍ତି।
ଦୁଇ ପୁଅଙ୍କ ମାନସିକ ସନ୍ତୁଳନ ଠିକ ନଥିବାରୁ କେତେବେଳେ ସେମାନେ କୁଆଡେ ଦୌଡ଼ି ପଳାଉଛନ୍ତି ତ ପୁଣି କେତେବେଳେ ଆଉ କଣ କରି ବସୁଛନ୍ତି। ସେଥିପାଇଁ ମାଆ ଅନ୍ୟ ଘରେ କାମ କରିବାକୁ ଯିବାବେଳେ ଦୁଇ ଦିବ୍ୟାଙ୍ଗ ପୁଅଙ୍କୁ ଖୁଣ୍ଟରେ ବାନ୍ଧି ପକାନ୍ତି। ଘରେ ବିଜୟଙ୍କ ଭଉଣୀ ମଧ୍ୟ ଏ ଦୁଇ ପୁଅଙ୍କ କଥା ବୁଝିଥାନ୍ତି। ଘର ଖଣ୍ଡିଏ ମୁଣ୍ଡ ଗୁଞ୍ଜିବାକୁ ନଥିବା ବେଳେ ବିଜୟଙ୍କ ଜ୍ବାଇଁଙ୍କ ସହାୟତାରେ ଘର ଖଣ୍ଡିଏ ତିଆରି କରି ସେଇଠି ଦୁଃଖୀ ସଂସାରର ଜୀବନ ବିତୁଛି।
ଦିବ୍ୟାଙ୍ଗ ପୁଅଙ୍କ ଆଧାର କାର୍ଡ ହୋଇ ପାରୁ ନଥିବାରୁ ସେମାନେ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି। ଗତ 18 ମାସ ହେଲା ଯେଉଁ କେତେ କିଲୋ ଚାଉଳ ମିଳୁଥିଲା ତାହା ଏବେ ମିଳୁନାହିଁ। ଅନ୍ୟପଟେ ସରକାରୀ ବାବୁମାନେ ଆଧାର କାର୍ଡ ନଥିବାରୁ ବିଜୟଙ୍କୁ ଖାଲି ହାତରେ ଫେରାଇ ଦେଇଥିବା ଅଭିଯୋଗ ହୋଇଛି। ଗରିବୀ ପରିବାରର ଦୁଃଖରେ ସାମିଲ ହେବାପାଇଁ ସତେ ଯେମିତି କାହାରି ପାଖରେ ସମୟ ନାହିଁ। ଗୋଟେପଟେ ବିଜୟ ଅତ୍ୟନ୍ତ ଦୁଃଖ କଷ୍ଟରେ ପରିବାର ପୋଷୁଥିବା ବେଳେ ଅନ୍ୟପଟେ ସରକାରୀ ଯୋଜନା ତାଙ୍କ ପାଖରେ ପହଞ୍ଚି ପାରୁନାହିଁ। ସଦର ବିଧାୟକ ବିଜୟଙ୍କୁ ଭେଟି ସରକାରୀ ସହାୟତା ଯୋଗାଇଦେବାର ପ୍ରତିଶୃତି ଦେଇଛନ୍ତି। ଭାଗ୍ୟକୁ ନିନ୍ଦିବା ଛଡା ବିଜୟଙ୍କ ପାଖରେ ଅନ୍ୟ କିଛି ଚାରା ନଥିବା ବେଳେ ତାଙ୍କ ପରିବାରର ଏ ଦୁଃଖ ବୁଝିବା ପାଇଁ କେବେ ସରକାର କିମ୍ବା ଜନ ପ୍ରତିନିଧିଙ୍କ ଆଖି ଖୋଳୁଛି ତାହାହିଁ ଦେଖିବାକୁ ବାକି ରହିଲା ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ