ବାଲେଶ୍ୱର: ମଦ ପାଇଁ ପୁଅ ଭୁଲିଗଲା ରକ୍ତ ସମ୍ପର୍କ । ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ପୁଅର ଭୁଜାଲି ଚୋଟରେ ବାପାର ମୃତ୍ୟୁ ହୋଇଥିବା ଜଣାପଡିଛି । ବାପା ଜୟକୃଷ୍ଣ ରାତିରେ ଭାତ ଖାଇବାକୁ ବସିଥିବାବେଳେ ପୁଅ ତାଙ୍କ ଉପରେ ଆକ୍ରମଣ କରିଥିଲା ।
ସୂଚନା ଅନୁସାରେ, ସୋର ଥାନା ତେଣ୍ଟେଇ କୁସୁନିପୁର ଗ୍ରାମର ଜୟକୃଷ୍ଣଙ୍କ ପୁଅ ଶରତ ବେଆଇନ ଭାବେ ମଦ କାରବାର କରୁଥିଲା । ଏହାକୁ ବାପା ଜୟକୃଷ୍ଣ ବିରୋଧ କରିବାରୁ ବାପ-ପୁଅଙ୍କ ମଧ୍ୟରେ କଳହ ଲାଗି ରହୁଥିଲା ।
ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ୱର ଶନିବାର ରାତିରେ ଜୟକୃଷ୍ଣ ଘରେ ଖାଇବାକୁ ବସିଥିଲେ । ଅଧା ଭାତ ଖାଇଥିବା ଅବସ୍ଥାରେ ନିଶାରେ ଚୁର ହୋଇ ପୁଅ ଶରତ ଘରକୁ ଆସିଥିଲା । ଯାହାକୁ ଦେଖି ଜୟକୃଷ୍ଣ ବିରୋଧ କରିବାରୁ ପୁଅ ରାଗି ଯାଇ ଏକ ଧାରୁଆ ଭୁଜାଲିରେ ତାଙ୍କୁ ଆକ୍ରମଣ କରିଥିଲା ।
ପୁଅର ଭୁଜାଲି ପ୍ରହାରରେ ଜୟକୃଷ୍ଣ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହୋଇ ପ୍ରାଣ ହରାଇ ଥିବାବେଳେ ନିର୍ଦ୍ଦୟ ପୁଅ କିନ୍ତୁ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଏନେଇ ଖୋଳତାଳ ଆରମ୍ଭ କରିଛି ।
ବାଲେଶ୍ୱରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ