ବାଲେଶ୍ବର:ପୋଷା ପଶୁମାନଙ୍କ ସହ ମଣିଷର ଅନେକ ନିବିଡ ସମ୍ପର୍କ ରହିଥାଏ । ଏପରି ଅନେକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ପୋଷାପଶୁଙ୍କ ପାଇଁ ମାଲିକ ଯେତିକି ଯତ୍ନବାନ ପଶୁମାନେ ମଧ୍ୟ ସେମାନଙ୍କ ମାଲିକଙ୍କ ପାଇଁ ଖୁବ ଯତ୍ନବାନ ହେବା ସହ ତାଙ୍କୁ ସାହାଯ୍ୟ କରିଥାନ୍ତି । ସାଧାରଣତଃ ଆଜିକାଲି ସମସ୍ତେ ପୋଷା କୁକୁର ଘରେ ରଖିବାକୁ ଭଲପାଆନ୍ତି । ଏବଂ ଏମାନେ ମାଲିକମାନଙ୍କ ସବୁକଥା ବୁଝିପାରୁଥିବା ଏବଂ ବୋଲମାନୁଥିବା ମଧ୍ୟ ଅନେକ ଚିତ୍ର ସାମ୍ନାକୁ ଆସିଛି । ଏହାରି ମଧ୍ୟରେ ଏଭଳି ଏକ କୁକୁର ଦେଖିବାକୁ ଦେଖିବାକୁ ମିଳିଛି ଯିଏ ନିଜ ଅଭିନୟ ବଳରେ ପୁରସ୍କାର ଲାଭ କରିଛି । ନିଜ ଅଭିନୟ ପାଇଁ କୁକୁରଟି ସ୍ପେଶାଲ ଜୁରୀ ଆୱାର୍ଡ ପାଇଛି । ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର 'ବିଶ୍ବସ୍ଥ ସାଥି'ରେ କୁକୁରଟି ଅଭିନୟ କରି ସଡ଼କ ସୁରକ୍ଷାର ବାର୍ତ୍ତା ପ୍ରଦାନ କରିଥିବା ନେଇ କୁକୁରଟିକୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।
ବାଲେଶ୍ବରର ଯୁବଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା କ୍ଷୁଦ୍ର ଚଳଚ୍ଚିତ୍ର 'ବିଶ୍ବସ୍ଥ ସାଥି' । ବର୍ତ୍ତମାନ ଏହି ଫିଲ୍ମ ଜାତୀୟ ସଡକ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବରେ ଶ୍ରେଷ୍ଠ ଚଳଚ୍ଚିତ୍ର ଆୱାର୍ଡ ପାଇଥିବା ବେଳେ ଏହି ଚଳଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଏକ କୁକୁରକୁ ସ୍ପେଶାଲ୍ ଜୁରୀ ଆୱାର୍ଡ ପ୍ରଦାନ କରାଯାଇଛି । ଭୁବନେଶ୍ବର ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଅମୃତାଂଶୁ ମହାପାତ୍ର ଓ ତାଙ୍କ ଟିମ୍ ପହଞ୍ଚି ପୁରସ୍କାର ଗ୍ରହଣ କରିଛନ୍ତି । ତେବେ ଏହି ୨ ମିନିଟ୍ର ଫିଲ୍ମଟି ସଡ଼କ ସୁରକ୍ଷା ବାର୍ତ୍ତା ଉପରେ ଆଧାରିତ ଥିବା ବେଳେ କୁକୁର(ପଶୁ)ଟି ଏହାକୁ ବୁଝି ମଣିଷକୁ ଚେତାଇଛି । ପୂର୍ବରୁ ହିଁ କୁକରମାନଙ୍କୁ ବିଶ୍ବସ୍ତ ବୋଲି ବିବେଚନା କରାଯାଇଛି, ତେବେ ଏହି ଫିଲ୍ମରେ କୁକୁରର ଏହାକୁ ପ୍ରତିପାଦିତ କରି ଦେଖାଇଥିବା ବେଳେ ସବୁଆଡୁ ପ୍ରଶଂସା ଛୁଟୁଛି ।
ସୂଚନା ଅନୁସାରେ, ବାଲେଶ୍ବରର ଅମୃତାଂଶୁ ମହାପାତ୍ର ଏବଂ ତାଙ୍କ ଟିମ୍ ସଡ଼କ ସୁରକ୍ଷାକୁ ନେଇ ଏକ କ୍ଷୁଦ୍ର ଚଳଚ୍ଚିତ୍ର ତିଆରି କରିବା ପାଇଁ ଆରମ୍ଭ କରିଥିଲେ ପ୍ରସ୍ତୁତି । ଏଥିପାଇଁ କେଉଁ ଚରିତ୍ରକୁ ନେବେ ତାହା ଚିନ୍ତା କରୁକରୁ ହଠାତ ଜଣେ ବନ୍ଧୁ ସ୍ୱସ୍ତିକା ପାଢ଼ୀଙ୍କ ଘରେ ଥିବା ଗୃହପାଳିତ କୁକୁର ସେରୁକୁ ମୁଖ୍ୟ ଚରିତ୍ର ଭାବେ ନେବାପାଇଁ ସ୍ଥିର କରାଯାଇଥିଲା । ଆଉ ତା ପରେ ଦୁଇ ମିନିଟର ଭିଡିଓଟି ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରେ ମଣିଷ ପାଇଁ ହେଲମେଟ କେତେ ଜରୁରୀ ବୋଲି ପଶୁ(କୁକୁର) କିପରି ବୁଝିପାରୁଛି ତାହାର ଚିତ୍ର ଏଥିରେ ଦର୍ଶାଯାଇଛି ।
ଟିଭିରେ ହେଲମେଟ ପିନ୍ଧିବାର ଏକ ବିଜ୍ଞାପନ ଦେଖି କୁକୁରଟି ମାଲିକାଣୀଙ୍କୁ ହେଲମେଟ ପିନ୍ଧିବା ପାଇଁ ଭୋ ଭୋ କରି କହିବାକୁ ଚେଷ୍ଟା କରିଛି । ସେଥିରେ ବିଫଳ ହୋଇ ମଧ୍ୟ ମାଲିକାଣୀ ଘରୁ ଗାଡ଼ି ନେଇ ଯିବା ପରେ ହେଲମେଟକୁ ମୁହଁରେ କାମୁଡି ନେଇ କୁକୁରଟି ମାଲିକାଣୀଙ୍କ ପାଖରେ ପହଞ୍ଚିଛି । ଆଉ ଜଣାଇ ଦେଇଛି ଘରୁ ଗାଡ଼ି ନେଇ ବାହାରିବା ମାତ୍ରେ ହେଲମେଟ ନେଇକି ଯିବା କେତେ ଆବଶ୍ୟକ । ଏହି ଦୁଇ ମିନିଟର ଭିଡିଓ ସମସ୍ତଙ୍କ ଦ୍ୱାରା ବେଶ ଆଦୃତ ହୋଇଛି । ଯେଉଁଥିରେ କୁକୁର ସେରୁ ମଧ୍ୟ ଅତି ନିଖୁଣ ଅଭିନୟ କରି ସମସ୍ତଙ୍କ ମନ ଜିଣିପାରିଛି। ଯେଉଁଥିପାଇଁ ସେରୁକୁ ସ୍ପେଶାଲ ଜୁରୀ ଆୱାର୍ଡ ମିଳିଛି ।