ବାଲେଶ୍ବର: ମୁଣ୍ତରେ ବନ୍ଧୁକ ଲଗାଇ ଗ୍ରାମବାସୀଙ୍କୁ ଲୁଟୁଛନ୍ତି ଡକାୟତ । ଖୁଲମଖୁଲା କରୁଛନ୍ତି ପୋଲିସକୁ ଚ୍ୟାଲେଞ୍ଜ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବରରେ। ଏଥିରେ ତିନି ଜଣ ଗୁରୁତର ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।
ଗ୍ରାମବାସୀ ଓ ଡକାୟତ ମଧ୍ୟରେ ଖଣ୍ଡଯୁଦ୍ଧ, 3 ଗୁରୁତର ସୂଚନା ଅନୁସାରେ, ଶନିବାର ରାତିରେ ନଦୀଗାଁ ପଞ୍ଚାୟତ ହରିଡାପଡା ଅଞ୍ଚଳର ସୁଦାମ ଚରଣ ବାଉଲି ଘରକୁ ଫେରିବା ବାଟରେ ପିତାକାଳିଆ ଛକ ନିକଟରେ କିଛି ଡ଼କାୟତ ତାଙ୍କୁ ଅଟକାଇ ଥିଲେ । ପରେ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ମାଗିଥିଲେ। ଏହାପରେ ସେମାନେ ସୁଦାମଙ୍କୁ ଗୋଡାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ସୁଦାମଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ସେଠାରେ ପହଞ୍ଚିବାରୁ ଦୁର୍ବୃତ୍ତମାନେ କଟୁରିରେ ଆକ୍ରମଣ କରିଥିଲେ ।
ଘଟଣା ସମ୍ପର୍କରେ ଖବର ପାଇ ସୋର ପୋଲିସ ସେଠାରେ ପହଞ୍ଚି ଜଣେ ଡକାୟତକୁ ଗିରଫ କରିବାରେ ସଫଳ ହୋଇଥିଲା । ଗିରଫ ହୋଇଥିବା ଦୁର୍ବୃତ୍ତ ଜଣଙ୍କ କେନ୍ଦ୍ରାପଡା ମାର୍ଶାଘାଇ ଅଞ୍ଚଳର ପ୍ରଦ୍ୟୁମ୍ନ ସେନାପତି ବୋଲି ଜଣାପଡିଛି । ଅନ୍ୟପଟେ ଡ଼କାୟତ ଓ ଗ୍ରାମବାସୀଙ୍କ ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧରେ ସୁଦାମଙ୍କ ସମେତ ଅଜୟ କୁମାର ବେହେରା, ପ୍ରଦୀପ କୁମାର ମହାକୁଡ଼ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ସୋର ଥାନା ଅଞ୍ଚଳରେ ବିଭିନ୍ନ ସମୟରେ ଛୀନତାଇ, ଡକାୟତି ଭଳି ଘଟଣା ଘଟୁଥିବା ବେଳେ ପୋଲିସ ଆହୁରି ସକ୍ରିୟ ହେବା ଜରୁରୀ ହୋଇ ପଡିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ ,ଇଟିଭି ଭାରତ