ବାଲେଶ୍ଵର: ଜିଲ୍ଲା ରେଳବାଇ ପୋଲିସ ତିନି ଜଣ ଲୁଟେରାଙ୍କୁ ଗିରଫ କରିଛି। ଭୋର ସମୟରେ ଟ୍ରେନରେ ଆସୁଥିବା ଯାତ୍ରୀଙ୍କୁ ଲୁଟ କରୁଥିବା ବେଳେ ଲୁଟେରାଙ୍କୁ ଧରିଥିଲା ରେଳବାଇ ପୋଲିସ ।
ଗିରଫ ହେଲେ 3 ରେଳ ଷ୍ଟେସନ ଲୁଟେରା ସୂଚନା ଅନୁସାରେ ନଭେମ୍ବର ମାସ 28 ତାରିଖ ଶୋଭାରମପୁର ଅଞ୍ଚଳର ଦେବ ଜ୍ୟୋତି ସାହୁ ବିଳମ୍ବିତ ରାତିରେ ଓହ୍ଲାଇ ଘରକୁ ଫେରୁଥିଲେ। ଶୋଭାରମ ପୁର ରେଳ ଲାଇନ ନିକଟରେ ଲୁଟେରାମାନେ ତାଙ୍କୁ ମାଡ଼ ମାରି ମୋବାଇଲ ଓ ଲାପଟପ ଲୁଟି ନେଇଥିଲେ । ସେହିପରି ତା’ପରଦିନ ଅର୍ଥାତ ନଭେମ୍ବର 29 ତାରିଖରେ ନନ୍ଦକିଶୋର ସାହୁ ଓ ତାଙ୍କ ସ୍ତ୍ରୀଙ୍କ ଠାରୁ ମୋବାଇଲ, ଟଙ୍କା, ସୁନା ଅଳଙ୍କାର ଲୁଟି ନେଇଥିଲେ ଏହି ଲୁଟେରାମାନେ । ଦୁଇ ଜଣଙ୍କ ଅଭିଯୋଗକୁ ଭିତ୍ତି କରି ରେଳବାଇ ପୋଲିସ ମାମଲା ରୁଜୁ କରିଥିଲା ।
ସୋମବାର ଭୋର ସମୟରେ ରେଳବାଇ ପୋଲିସର 25 ଜଣିଆ ଟିମ ଅଙ୍ଗାରଗଡ଼ିଆ ରେଳ ଫାଟକ ନିକଟରୁ ତିନିଜଣ ଲୁଟେରାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଗିରଫ ତିନିଜଣ ଚୁଡାକୁଟା ସାହି ଅଞ୍ଚଳର ସୌମ୍ୟରଞ୍ଜନ ଦାଶ, ବିନୋଦ ବଗାଳ ଓ ବୀରଭଦ୍ର ହେମ୍ବ୍ରମ ବୋଲି ଜଣାପଡିଛି। ସେମାନଙ୍କ ନିକଟରୁ 5ଟି ଦାମୀ ମୋବାଇଲ, ଗୋଟିଏ ଲାପଟପ, ଗୋଟିଏ ପାୱାରବ୍ୟାଙ୍କ, ଗୋଟିଏ ବ୍ଲୁ ଟୁଥ ହେଡସେଟ ପୋଲିସ ଜବତ କରିଛି।
ବିଳମ୍ବିତ ରାତିରେ ଯେଉଁ ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ଥାଆନ୍ତି ସେମାନଙ୍କୁ ଏହି ଲୁଟେରା ମାନେ ଟାର୍ଗେଟ କରୁଥିବା ପୋଲିସ ସୂଚନା ଦେଇଛି। ପୂର୍ବରୁ ଏମାନଙ୍କ ନାମରେ ଏମିତି ଲୁଟ ଅଭିଯୋଗ ଥିଲେ ମଧ୍ୟ ସେମାନେ ଧରା ପଡିନଥିଲେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ