ବାଲେଶ୍ୱର:ଶୋଭାରମପୁର ଟାଇଲବସା ଅଞ୍ଚଳର ଗୁଳିକାଣ୍ଡ ଘଟଣାରେ ପୋଲିସକୁ ସଫଳତା । ମାତ୍ର 12 ଘଣ୍ଟାରେ ଧରାପଡିଲେ ଅଭିଯୁକ୍ତ । ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ 10 ଜଣଙ୍କୁ ଗିରଫ କରିଛି ପୋଲିସ । ଗ୍ୟାଙ୍ଗରେ ପତିଆରା ପାଇଁ ଗୁଳିମାଡ ହୋଇଥିଲା । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବାଲେଶ୍ବର ଏସପି ସାଗରିକା ନାଥ ।
।
ଏସପି ସାଗରିକା ନାଥଙ୍କ କହିଛନ୍ତି, ‘‘ଗତ ସୋମବାର ଅପରାହ୍ନ ବେଳେ ଟାଇଲବସା ଅଞ୍ଚଳର ଯୁବକ ବିନୟ କୁମାର ବିହାରୀ ଓରଫ ପପୁଙ୍କୁ କିଛି ଯୁବକ ଦୁଇ ରାଉଣ୍ଡ ଗୁଳି ଚାଳନା କରିଥିଲେ । ବିନୟଙ୍କ କାନ୍ଧରେ ଗୁଳି ବାଜିବା ପରେ ସେ ଗୁରୁତର ଅବସ୍ଥାରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଏହାରି ଭିତରେ ପୋଲିସ ଦୁଇଟି ଟିମ ଗଠନ କରି ଅଭିଯୁକ୍ତଙ୍କ ଉପରେ ନଜର ରଖିଥିଲା । ଶେଷରେ ଗତକାଲି(ମଙ୍ଗଳବାର) ପୋଲିସ ସମୁଦାୟ 10 ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ତିନୋଟି ବାଇକ, 10ଟି ମୋବାଇଲ, ଗୋଟିଏ ବନ୍ଧୁକ, ଗୋଟିଏ ତେଲେଙ୍ଗା କଟୁରି ଏବଂ ଗୋଟିଏ ଗୁପ୍ତି ଜବତ କରିଛି । ଅଭିଯୁକ୍ତର ନାଁରେ ଶିଳ୍ପାଞ୍ଚଳ ଏବଂ ସହଦେଵଖୁଣ୍ଟା ଭଳି ବିଭିନ୍ନ ଥାନାରେ 16ରୁ ଅଧିକ ମାମଲା ରହିଛି । ଗ୍ୟାଙ୍ଗର ଲିଡ଼ର କିଏ ହେବ ତାହାକୁ ନେଇ ଗୁଳି ଚାଳନା କରାଯାଇଥିଲା । ଏହା କୌଣସି ଗ୍ୟାଙ୍ଗୱାର ନୁହେଁ ବରଂ ନିଜ ଭିତରେ ସର୍ଦ୍ଦାର ହେବା କଥାକୁ ନେଇ ପ୍ରଥମେ ଝଗଡ଼ା ଓ ପରେ ଗୁଳିକାଣ୍ଡ ଘଟଣା ଘଟିଥିଲା । ଅନ୍ୟପଟେ ବିନୟ ମଧ୍ୟ ଜଣେ ଅପରାଧୀ ହୋଇଥିବା ବେଳେ ତାଙ୍କ ନାଁରେ ମଧ୍ୟ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ।’’ ଅନ୍ୟପଟେ ଗୁଳି ମାଡର ଶିକାର ହୋଇଥିବା ବିନୟର ସ୍ବାସ୍ଥ୍ୟରେ ସୁଧାର ଆସିବା ପରେ ଅଧିକ ତଦନ୍ତ କରାଯିବ ନେଇ କହିଛନ୍ତି ବାଲେଶ୍ବର ଏସପି ।