ବଲାଙ୍ଗୀର: ବଲାଙ୍ଗୀରରେ ଏବେ ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କୁ ନେଇ ସବୁଠି ବିବାଦ । ଅନୁଦାନ ଟଙ୍କା କାଟି ଦେବା ଓ ଅନିୟମିତତା ନେଇ ଦୁଇ ଜିଲ୍ଲାପରିଷଦ ସଭ୍ୟଙ୍କ ଧାରଣା । ଏହାକୁ ନେଇ ଜିଲ୍ଲାରେ ଏବେ ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି । ପ୍ରଥମେ ଜିଲ୍ଲାପାଳଙ୍କ ସହିତ କଣ୍ଟାବାଞ୍ଜି ସନ୍ତୋଷ ସିଂହ ଶାଲୁଜାଙ୍କ ମୁହାଁମୁହିଁ ଘଟଣାକୁ ନେଇ ବିବାଦ ଛିଣ୍ଡି ନାହିଁ । ଏଭଳ ସ୍ଥଳେ ଏବେ ପୁଣି ସେ ସମାନ ଅଭିଯୋଗ ନେଇ ଦୁଇ ଜିଲ୍ଲା ପରିଷଦ ସଭ୍ୟ ଧାରଣା ଦେବା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ତେବେ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଓ ବେଲପଡ଼ା ବ୍ଲକ ଅନ୍ତର୍ଗତ 26 ଓ 27 ନମ୍ୱର ଜିଲ୍ଲାପରିଷଦ ସଭ୍ୟମାନେ ଗତ ୨ଦିନ ହେବ ବେଲପଡ଼ା ବ୍ଲକ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି । ତାଙ୍କର ଅଭିଯୋଗ ଯେ ଏଠିକାର ବିଡିଓ ନିଜ ମନମୁଖି କାମ କରୁଛନ୍ତି । ବେଆଇନ ଭାବରେ ଜିଲ୍ଲାପରିଷଦ ସଭ୍ୟଙ୍କ ଅନୁଦାନକୁ ବିଡ଼ିଓ କାଟି ଦେଉଛନ୍ତି । ସେହିପରି ବିଭିନ୍ନ ସରକାରୀ ଅନୁଦାନ ଟଙ୍କା ଯଥା ସିଏଫ୍ସି, ଏସଏଫସି ଓ ବିଜୁ କେବିକେ ଟଙ୍କାରେ ବିଡିଓ କିରଥିବାର ଅଭିଯୋଗ ହୋଇଛି । ଏନେଇ ଦୁଇ ଜିଲ୍ଲାପରିଷଦ ସଭ୍ୟ ଧାରଣା ଦେଇଛନ୍ତି ।
ଆନ୍ଦୋଳନରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ ମଧ୍ୟ ସାମିଲ ହୋଇଛନ୍ତି । ବିଡିଓଙ୍କୁ ଜବାବତଲବ କରିବାସହ ସେ ଲୋକଙ୍କ ଚାକର ଓ ଲୋକଙ୍କ ପାଇଁ କାମ କରନ୍ତୁ ବୋଲି କହିଛନ୍ତି । ସମାନ ଭାବରେ ଓଡ଼ିଶାରେ ମାଆକୁ ସମ୍ମାନ କଥା କୁହାଯାଉଥିବା ବେଳେ ବିଡିଓ ଏଠିକାର ମହିଳା ଜିଲ୍ଲାପରିଷଦ ସଭ୍ୟାଙ୍କୁ ଦୁର୍ବ୍ୟବହାର କାହିଁକି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।
ସେପଟେ ଆମରଣଅନଶନରେ ବସିଥିବା ଜିଲ୍ଲାପରିଷଦ ସଭ୍ୟା ଅନିମା ଦାସ ଅଭିଯୋଗ କରିଛନ୍ତି ଯେ ଏଠିକାର ବିଡ଼ିଓ ଭିକ୍ତର ସେନ ସେମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି । ତାଙ୍କ ସେୟାର ଅନୁଦାନ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ କାମ ତାଙ୍କୁ ନଜଣାଇ ସ୍ଥାନୀୟ ବିଜେଡି ବିଧାୟକଙ୍କ କର୍ମୀଙ୍କୁ ପ୍ରଦାନ କରିଛନ୍ତି ।