ବଲାଙ୍ଗୀର: ଘରେ ଶୋଇଥିବା ବେଳେ ଯୁବକଙ୍କୁ କାମୁଡିଲା ସାପ । ସାପକୁ ଧରି ଡାକ୍ତରଖାନାରେ ପହଞ୍ଚିଲେ ଯୁବକ । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ । ଯୁବକ ଜଣଙ୍କ ହେଉଛନ୍ତି ପୁଇନ୍ତଲା ବ୍ଲକ ଆଦର୍ଶ ଲେପର୍ଶି କଲୋନୀର ସୁବାସ ଗହିର । ସାପ ଧରି ଯୁବକ ଜଣଙ୍କ ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଘରେ ଥିବା ସମୟରେ ସୁବାସ ଗହିରଙ୍କୁ ସାପ ଦଂଶନ କରିଥିଲା । ପ୍ରଥମେ ସେ ଭୟଭୀତ ହୋଇପଡିଥିଲେ । ହେଲେ ପରବର୍ତ୍ତୀ ସମୟରେ ଚିକିତ୍ସା ପାଇଁ ସୁବାସ ସାପକୁ ଧରି ଡାକ୍ତରଖାନା ଯାଇଥିଲେ । ସେଠାରେ ପହଞ୍ଚିବା ପରେ ସାପକୁ ଦେଖି ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଭୟଭୀତ ହୋଇପଡିଥିଲେ । କିନ୍ତୁ ଯୁବକ ଜଣଙ୍କ ଦଂଶନ କରିଥିବା ସାପକୁ ଦେଖି ଚିକିତ୍ସା କରିବାକୁ ଡାକ୍ତରଙ୍କୁ କହିଥିଲେ ।
ଏହା ମଧ୍ୟ ପଢନ୍ତୁ-ଘରେ କାମୁଡିଲା ସାପ, ହସ୍ପିଟାଲରେ ସାପ ସହ ପହଞ୍ଚିଲେ ଯୁବକ
ପରେ ସାପଟିକୁ ଧରିବା ପାଇଁ ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚିଥିଲେ । କିନ୍ତୁ ଯୁବକଙ୍କ ପାଖକୁ ଆସିବାକୁ ଭୟ କରିଥିଲେ । ଡ଼ାକ୍ତର ସାପକୁ ଅନ୍ୟତ୍ର ଛାଡ଼ି ଆସିବା ପାଇଁ ତାଙ୍କୁ କହିବା ପରେ ଚିକିତ୍ସା କରିଥିଲେ । ତେବେ ଦଂଶନ କରିଥିବା ସାପ ବିଷଧର ହୋଇନଥିବା ଜଣାପଡିଥିଲା । ପ୍ରାଥମିକ ଚିକିତ୍ସା ପରେ ଯୁବକ ଘରକୁ ଫେରିଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।