ବଲାଙ୍ଗୀର: ପ୍ରେମ କରି ଘର ଛାଡି ପଳାଇଥିଲେ ପ୍ରେମୀ ଯୁଗଳ । ବିବାହ କରିନଥିଲେ ମଧ୍ୟ ରହୁଥିଲେ ଏକାଠି । ଭାବିଥିଲେ ଜୀବନଟାକୁ ଖୁସିରେ ଖୁସିରେ ଅତିବାହିତ କରି ଦେବେ । ଦିନ ଗଡିବା ସାଙ୍ଗକୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହେଲା । ପ୍ରେମିକା ଜଣଙ୍କ ଏକ ଶିଶୁକୁ ଜନ୍ମ ମଧ୍ୟ ଦେଇଥିଲେ । କିନ୍ତୁ ହସ ଖୁସିର ଏହି ସଂସାରରେ ଯେମିତି କାହାର ନଜର ଲାଗିଗଲା । ଅଧା ରାସ୍ତାରେ ପ୍ରେମିକାକୁ ଏକା କରି ଆରପାରିକୁ ଚାଲିଗଲା ପ୍ରେମିକ । କିନ୍ତୁ ଦୁଃଖର ବିଷୟ ହେଉଛି ପ୍ରେମିକର ମୃତ୍ୟୁ ପରେ ବି ଉଭୟଙ୍କ ପ୍ରେମକୁ ସମାଜରେ ମିଳିଲା ନାହିଁ ସ୍ବୀକୃତି ।
ଜାତି ଅଲଗା ହୋଇଥିବାରୁ ଯୁବଙ୍କ ମୃତଦେହକୁ ଛୁଇଁଲେ ନାହିଁ ପରିବାର ଲୋକେକି ଯୁବତୀଙ୍କୁ ଗ୍ରହଣ କଲାନି ସମାଜ । ଶେଷରେ ପ୍ରେମିକର ମୃତଦେହକୁ ସତ୍କାର କଲା ସ୍ୱେଚ୍ଛାସେବୀ ସଂଗଠନ ଓ ଥଇଥାନ କେନ୍ଦ୍ରକୁ ଗଲା ପ୍ରେମିକା । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାରେ । ମୃତକ ଜଣଙ୍କ ହେଉଛନ୍ତି ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକର ରୋହିତ ଥପା।
ମିଳିଥିବା ସୂଚନା ଅନୁଯାୟୀ, ପ୍ରେମରେ ପଡିବା ପରେ ଗତ 2022ରେ କବିତା ସାହୁ ଓ ରୋହିତ ଥପା ଏକାଠି ରହିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଜାତି ଅଲଗା ଅଲଗା ଥିବାରୁ ଉଭୟ ଘରୁ ବାହାରି ତାମିଲନାଡୁ ପଳାଇଥିଲେ । ବିବାହ କରିନଥିଲେ ମଧ୍ୟ ଦୁଇ ପ୍ରେମୀ ଯୁଗଳ ସେଠାରେ କିଛିଦିନ ରହିଥିଲେ । ଏହାପରେ ଉଭୟ ବଲାଙ୍ଗୀର ଫେରି ଏକ ଭଡା ଘରେ ରହିଥିଲେ । ଦୁଇ ପ୍ରେମୀ ଯୁଗଳ ତାଙ୍କର ପ୍ରେମ ସଂସାରରେ ଖୁବ ଖୁସି ଥିଲେ । ଅଭାବ ଅନାଟନରେ ମଧ୍ୟ ଖୁସିରେ ଖୁସିରେ ସମୟ ବିତୁଥିଲା । ଇତି ମଧ୍ୟରେ ରୋହିତ ଥପା ମଦ ପାନ କରିବା ଆରମ୍ଭ କରିଦେଇଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ କଳହ ଲାଗି ରହୁଥିଲା । ଯାହାକୁ କେନ୍ଦ୍ର କରି ଗତକାଲି ପ୍ରେମିକ ରୋହିତ ଥପାଙ୍କର ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିଲା।