ବଲାଙ୍ଗୀର:ପାଣି ଟାଙ୍କି ଉପରେ ଚଢ଼ି ଯୁବକଙ୍କ ହାଇଡ୍ରାମା । 'କୋଶଳ ରାଜ୍ୟ' ପାଇଁ ଦାବି କରିଛନ୍ତି ଯୁବକ । ଦୀର୍ଘ ୪ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରାଯାଇଛି । ତେବେ କୋଶଳ ରାଜ୍ୟ ଦାବି ପାଇଁ କୋଶଳ ସଂଗଠନମାନେ ତୀବ୍ର ଆନ୍ଦୋଳନ କରୁଛନ୍ତି। ଏହାରି ମଧ୍ୟରେ ଜଣେ କୋଶଳ ଯୁବ ନେତା ଆଜି ସମସ୍ତଙ୍କୁ ନାକେ ଦମ କରିଥିଲେ। ବଲାଙ୍ଗୀର ଜିଲ୍ଲା କୋଶଳ ସେନା ସଂଗଠନର ସମ୍ପାଦକ ଇନ୍ଦ୍ରମଣି ସାହୁ ଆଜି ଏଭଳି ପଦକ୍ଷେପ ନେଇଥିଲେ। ସେ ଆଜି ସକାଳୁ ବଲାଙ୍ଗୀର ରାଜେନ୍ଦ୍ର ୟୁନିଭରସିଟି ଭିତରେ ଥିବା ପିଏଚଡ଼ି ପାଣି ଟାଙ୍କି ଉପରକୁ ଚଢିଯାଇଥିଲେ ଏବଂ ଟାଙ୍କି ଉପରେ ବ୍ୟାନର ପୋଷ୍ଟର ଧରି 'କୋଶଳ ରାଜ୍ୟ' ପାଇଁ ଦାବି କରିଥିବା ଦେଖିବାକୁ ମିଳିଥିଲା ।
ସେହିପରି କୋଶଳ ରାଜ୍ୟ ଗଠନ ପାଇଁ ସେ ଜୀବନ ଦେବା ପାଇଁ ଜିଦ ଧରିଥିଲେ। ତେବେ ପୋଲିସ ଓ ସାଧାରଣ ଲୋକେ ତାଙ୍କୁ ଅନେକ ବୁଝା ସୁଝା କରିବା ପରେ ମଧ୍ୟ ସେ ତଳକୁ ଓହ୍ଲାଇ ନଥିଲେ। ସେହିପରି ପୋଲିସ ଅଗ୍ନିଶମ ବିଭାଗକୁ ସୂଚନା ଦେବା ପରେ ଅଗ୍ନିଶମ ବାହିନୀ ଦୌଡ଼ି ଜାଲ ନେଇ ପାଣି ଟାଙ୍କି ଉପରକୁ ଚଢିଥିଲେ। ଯୁବକ ଇନ୍ଦ୍ରମଣି ସାହୁ ସହିତ ଆଲୋଚନା କରାଯାଇଥିଲେ ମଧ୍ୟ ସେ ଓଲଟା ଜୀବନ ହାରିଦେବାର ଧମକ ଦେଇଥିଲେ। ସେପଟେ ଅଗ୍ନିଶମ କର୍ମଚାରୀ କୌଶଳକ୍ରମେ ତାଙ୍କୁ କାବୁ କରିବା ସହ ସୁରକ୍ଷିତ ଭାବରେ ଟାଙ୍କିରୁ ତଳକୁ ଓହ୍ଲାଇ ଆଣିଛନ୍ତି ।
ଏହି ଯୁବକ ଇନ୍ଦ୍ରମଣି ସାହୁ କହିଛନ୍ତି, "କୋଶଳ ଅଞ୍ଚଳକୁ ରାଜ୍ୟ ସରକାର ସବୁବେଳେ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି। ଦୀର୍ଘ ଦିନରୁ କୋଶଳ ରାଜ୍ୟ ଦାବି ନେଇ ଆନ୍ଦୋଳନ ଜାରି ରହିଛି। ଏହା ମାତ୍ର ଆରମ୍ଭ ଅଟେ, ଆଗକୁ ଏହା ଆହୁରି ତୀବ୍ର ହେବ ।" ସେପଟେ ତାଙ୍କୁ ସମର୍ଥନ ଦେଇ କୋଶଳ ସେନାର କର୍ମକର୍ତ୍ତାମାନେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ହଙ୍ଗାମା କରିଥିଲେ। କୋଶଳ ସେନା ସଭାପତି କୌସ୍ତୁବ ସାହୁ କହିଛନ୍ତି, "ଇନ୍ଦ୍ରମଣି ସାହୁ କୋଶଳକୁ ନେଇ ଅଧିକ ଭାବାବେଗ ହୋଇଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି।"