ବଲାଙ୍ଗୀର:ପୂର୍ବତନ ଯୋଗାଣ ସହାୟକଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ । ବରକାନି ଗ୍ରାମ ପଞ୍ଚାୟତର ପୂର୍ବତନ ଯୋଗାଣ ସହାୟକ ରଜତ କୁମାର ପ୍ରଧାନ ଶନିବାରରୁ ନିଖୋଜ ଥିବାବେଳେ ଆଜି ତାଙ୍କର ମୃତଦେହ ବଲାଙ୍ଗୀର ଖୁଜେନପାଳି ଗ୍ରାମ ଜଙ୍ଗଲ ନିକଟ ରେଳ ଲାଇନରୁ ଉଦ୍ଧାର ହୋଇଛି । ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।
ରଜତଙ୍କୁ ଏକ ପିକଅପ୍ ଭ୍ୟାନରେ ଜୋର ଜବରଦସ୍ତ କେହି ନେଇଯାଉଥିବାର ଦେଖିବାକୁ ପାଇଥିଲେ ପରିବାରଲୋକେ । ଏସବୁ ଦେଖିବା ପରେ ଗ୍ରାମବାସୀଙ୍କ ସହିତ ସମ୍ପୃକ୍ତ ଗାଡିକୁ ଧରିବାକୁ ଚେଷ୍ଟା କରିଥିଲେ ପରିବାର ସଦସ୍ୟ । ଏପରିକି ଗାଡିକୁ ଅନେକ ବାଟ ପର୍ଯ୍ୟନ୍ତ ଗୋଡାଇ ଗୋଡାଇ ଧରିବାକୁ ଚେଷ୍ଟା କରିଥିଲେ ଗ୍ରାମବାସୀ । ହେଲେ ସମ୍ପୃକ୍ତ ଗାଡିଟି ଦ୍ରୁତ ଗତିରେ ଖସି ପଳାଇବାରେ ସଫଳ ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଯୁବକର ମୋବାଇଲ ଟ୍ରାକ୍ କରି ବଲାଙ୍ଗୀର ନିକଟ ଖୁଜେନପାଳି ଜଙ୍ଗଲରେ ପହଞ୍ଚିଥିଲେ । ଖୁଜେନପାଳି ଜଙ୍ଗଲରେ ପହଞ୍ଚିବା ପରେ ରେଳ ଲାଇନ ନିକଟରୁ ରଜତଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ତେବେ ମୃତକଙ୍କ ବାପା ଓ ଭାଇଙ୍କ ଅଭିଯୋଗ ଅନୁସାରେ ଗତକାଲି ସନ୍ଧ୍ୟାରେ ତାଙ୍କର ଝିଆରୀର ଜନ୍ମ ଦିନ ଥିଲା । ତେଣୁ ତାଙ୍କ ପୁଅ ରଜତ ପ୍ରଧାନ କ୍ରିକେଟ ଖେଳି ଘରକୁ ଆସିବା ପରେ ପାଣି ପିଇ ବସିଥିବାବେଳେ କେହି ତାଙ୍କୁ ଫୋନ କରିଥିଲା । ଯାହାପରେ ସେ ଘରୁ ବାହାରି ଯାଇଥିଲା। ଜନ୍ମଦିନ ପାଳନ ଚାଲିଥିବାବେଳେ ଘର ଲୋକେ ତାଙ୍କୁ ବାରମ୍ବାର ଫୋନ କରିଥିବାବେଳେ ଫୋନ ଲାଗିନଥିଲା।