ଭିସୁଟ୍ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣା ବଲାଙ୍ଗୀର:ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ବିଷ୍ଟ ଆସିଛି । ସେ ପାୱାର ଚ୍ୟାନେଲକୁ ଡେଇଁ ଜୀବନ ହାରିଥିବା କୁହାଯାଉଥିବା ବେଳେ ତାଙ୍କର ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ । ଝିଅକୁ କେହି ହତ୍ୟା କରି ପାୱାର ଚ୍ୟାନେଲକୁ ଠେଲି ଦେଇଥିବା ଛାତ୍ରୀଙ୍କ ମାଆ ଲବଙ୍ଗ ସାହୁ ଅଭିଯୋଗ କରିଛନ୍ତି । ଏନେଇ ପରିବାର ଲୋକଙ୍କ ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ କରାଯାଇଥିବାବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ସମ୍ବଲପୁର ଏସପି ଓ ଅନ୍ୟ ପୋଲିସ ଅଧିକାରୀମାନେ ମଧ୍ୟ ତାଙ୍କ ସହ ଆଲୋଚନା କରିଥିବାର ମାଆ କହିଛନ୍ତି ।
ମୃତ ଛାତ୍ରୀଙ୍କ ମାଆ ଅଭିଯୋଗ କରିଛନ୍ତି ଯେ, ଚିନ୍ମୟୀ ଭିସୁଟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଭୁବନେଶ୍ବର ଯିବା ପାଇଁ ବାହାରିଥିଲେ । ସେ ରାତି ୯ଟା ୨୦ରେ ଚିନ୍ମୟୀଙ୍କ ପାଖକୁ କଲ୍ କରିଥିଲେ । ହେଲେ କାହାର କଥାବାର୍ତ୍ତା ଶୁଣିନଯାଇ ଯେମିତି କେହି ତଣ୍ଟି ଚିପିଲା ଭଳି କେବଳ ଗଁ ଗଁ ଶବ୍ଦ ଶୁଭିଥିଲା । ଏହାପରେ ସେ ପାୱାର ଚ୍ୟାନେଲରେ ପଡିଯାଇଥିବା ଖବର ମିଳିଥିଲା । ତେଣୁ ଚିନ୍ମୟୀ ଜୀବନ ହାରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି ମାଆ ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ବଲାଙ୍ଗୀରର ମୂଳ ବାସିନ୍ଦା ଚିନ୍ମୟୀଙ୍କ ମରଶରୀର ବୁଧବାର ସନ୍ଧ୍ୟାରେ ବଲାଙ୍ଗୀର ମାଲପଡାସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଥିଲା । ଏହାପରେ ଶୋକାକୁଳ ପରିବେଶରେ ବଲାଙ୍ଗୀର ବିଭୁତିପଡା ଶ୍ମଶାନଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ନିଜର ଝିଅକୁ ହରାଇ ବାପାମାଆ ଓ ପରିବାର ବର୍ଗ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ପ୍ରକାଶଥାଉ କି, ଚିନ୍ମୟୀ ପ୍ରିୟଦର୍ଶିନୀ ବୁର୍ଲା ଭିସୁଟରେ ଆଇଟି ପାସ୍ଆଉଟ ଛାତ୍ରୀ ଥିଲେ । ମଙ୍ଗଳବାର ସେ ଭିସୁଟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଆସି ଆଉ ଫେରିନଥିଲେ । ସେହିଦିନ ରାତିରେ ସେ ତାଙ୍କ ପୁରୁଷ ବନ୍ଧୁ ସହ ହୀରାକୁଦ ପାୱାର ଚ୍ୟାନେଲ ପାଖକୁ ବୁଲିବାକୁ ଯାଇଥିବାବେଳେ ପାଣିକୁ ଡେଇଁ ପଡିଥିବା ତାଙ୍କ ବନ୍ଧୁ ଅଭିଯୋଗ କରିଥିଲେ । ବହୁ ଖୋଜାଖୋଜି ପରେ ବୁଧବାର ସକାଳେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା ।
ମାଲପଦାର ନିବାସୀ ଡାକ୍ତର ବନମାଳୀ ସାହୁ ଓ ଲବଙ୍ଗ ସାହୁଙ୍କ ବଡ ଝିଅ ଥିଲେ ଚିନ୍ମୟୀ । ଡାକ୍ତର ବନମାଳୀ ସାହୁ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଠାରେ କାର୍ଯ୍ୟରତ ଅଛନ୍ତି । ବଡ ଝିଅ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ପିଲା ଦିନରୁ ଜଣେ ମେଧାବୀ ଛାତ୍ରୀ ଥିବାବେଳେ ବୁର୍ଲା ଭିସୁଟରେ ପାଠପଢ଼ା ଶେଷ କରି ଭୁବନେଶ୍ୱର ଯାଇ ଆଗକୁ ପଢ଼ିବାର ଥିଲା । ତେବେ ତାଙ୍କୁ ହତ୍ୟା କରାଯାଇଛି ନା ଆତ୍ମହତ୍ୟା ତାହା ପୋଲିସର ତଦନ୍ତ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।
ଇଟିଭି ଭାରତ, ବଲାଙ୍ଗୀର