ବଲାଙ୍ଗୀର:ଆଜି(ଶୁକ୍ରବାର) ଦ୍ଵିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ସରିଛି । ତେବେ ଗୋଟିଏ ବୁଥରେ ସେଠିକାର ପୋଲିଂ ଅଧିକାରୀଙ୍କ ମନମାନି ଅଭିଯୋଗ ଆସିଥିବା ବେଳେ ସଂପୃକ୍ତ ଅଞ୍ଚଳର ସରପଞ୍ଚ ଭୋଟ ସ୍ଥଗିତ ହୋଇଛି । ଲୋଇସିଂହା ବ୍ଲକର ଏକ ପୋଲିଂ ବୁଥରେ ୩ ଜଣ ପ୍ରାର୍ଥୀଙ୍କ ନାଁକୁ ଲୁଚାଇ କାଗଜକୁ ମୋଡ଼ି ଲୋକଙ୍କୁ ଭୋଟ ଦେବା ପାଇଁ ଅଧିକାରୀ କହିଥିବାର ଅଭିଯୋଗ ହୋଇଥିଲା । ଫଳରେ ସରପଞ୍ଚ ନିର୍ବାଚନକୁ ସ୍ଥଗିତ ରଖାଯାଇଛି ।
ଲୋଇସିଂହା ବ୍ଲକରେ ପୋଲିଂ ଅଧିକାରୀଙ୍କ ଚଞ୍ଚକତା, ସରପଞ୍ଚ ନିର୍ବାଚନ ସ୍ଥଗିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପ୍ରାୟତଃ ଶାନ୍ତି ଶୃଙ୍ଖଳାରେ ସରିଛି । ବଲାଙ୍ଗୀର ଜିଲ୍ଲା ଲୋଇସିଂହା, ଆଗଲପୁର ଓ ପୁଇନ୍ତଲା ବ୍ଲକରେ ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା । ଭୋଟରଙ୍କ ମଧ୍ୟରେ ଭୋଟ ଦେବାକୁ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ସେପଟେ ଏହାରି ମଧ୍ୟରେ ଲୋଇସିଂହା ବ୍ଲକ ସର୍ଗାଡ ପଞ୍ଚାୟତର 11 ନଂ ୱାର୍ଡ ଠାକୁର ପାଲି ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।
ତେବେ ଏହି ପଞ୍ଚାୟତରେ 6 ଜଣ ସରପଞ୍ଚ ପ୍ରାର୍ଥୀ ଥିବା ବେଳେ ଏଠି ପ୍ରିଜାଇଡିଂ ଅଧିକାରୀ ବାଲାଟ କାଗଜକୁ ମୋଡ଼ି ୩ ଜଣଙ୍କର ନାଁ ଥିବାର କହି ଚଞ୍ଚକତା କରିଥିବାର ଅଭିଯୋଗ ହୋଇଥିଲା । ଏଭଳି 150 ଭୋଟ ମଧ୍ୟ ପଡ଼ିସାରିଥିଲା । ଯାହା ପରେ ଲୋକ ଓ ପ୍ରାର୍ଥୀ ମାନେ ଜାଣିବା ପରେ ଏଠି ଆସି ହୋ ହାଲ୍ଲା କରିଥିଲେ । ଏଠିକାର ପୋଲିଂ ଅଧିକାରୀ ଘୋର ଅନିୟମିତତା କରିଥିବାର ଅଭିଯୋଗ କରିଥିଲେ ।
ଏହି ପଞ୍ଚାୟତରେ ମେଘନାଦ ସାହୁ, ସରୋଜ ବେହେରା, ଲେକ୍ରୁ ତ୍ରିପାଠୀ, ଜିତେନ୍ଦ୍ରୀୟ ବେହେରା, ନରେନ୍ଦ୍ର ପଟେଲ ଓ ନରୋତ୍ତମ ପଟେଲ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରିଛନ୍ତି । ହେଲେ ଏହି 11 ନଂ ୱାର୍ଡ ପୋଲିଂ ବୁଥରେ ୩ ଜଣ ପ୍ରାର୍ଥୀଙ୍କ ନାଁକୁ ଲୁଚାଇ କାଗଜକୁ ମୋଡ଼ି ଲୋକଙ୍କୁ ଭୋଟ ଦେବା ପାଇଁ ଅଧିକାରୀ କହିଥିବାର ଅଭିଯୋଗ ହୋଇଛି । ଯାହାପରେ ଜିଲ୍ଲାପାଳ ଏଠିକାର ସରପଞ୍ଚ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି ଏବଂ ପରବର୍ତ୍ତୀ ସମୟରେ ପୁନଃ ନିର୍ବାଚନ ହେବ ବୋଲି ଜଣାପଡ଼ିଛି।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ