ଓଡିଶା

odisha

ETV Bharat / state

ଏଣିକି ରାସ୍ତାରେ ହେବ ଧାନଚାଷ !

ଗୁହାରି ଶୁଣିଲେନି କେହି। ଶେଷରେ ରାସ୍ତାରେ ଧାନ ରୋଇଲେ ଲୋକେ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ଖଇରା ପଞ୍ଚାୟତର ପିପଲମୁଣ୍ଡା ଗାଁରେ ।

By

Published : Aug 6, 2019, 10:59 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ରାସ୍ତାରେ ଧାନ ରୋଇ ଅଭିନବ ପ୍ରତିବାଦ କଲେ ଗ୍ରାମବାସୀ । ୪ ବର୍ଷ ତଳେ ହୋଇଥିଲା ରାସ୍ତା କାମ। ତା ପରଠୁ ଆଜି ଯାଏ ରାସ୍ତାର ହାଲଚାଲ ପଚାରି ବୁଝିବା ପାଇଁ ଆସିଲେନି କୌଣସି ପ୍ରଶାସନ । ଏହି 4 ବର୍ଷ ମଧ୍ୟରେ ବେହାଲ ହୋଇଗଲାଣି ରାସ୍ତା ଅବସ୍ଥା । ମରାମତି ଅଭାବରୁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ଖଇରା ପଞ୍ଚାୟତର ପିପଲମୁଣ୍ଡା ଗାଁ ରାସ୍ତା ଏବେ ଖାଲଖମାରେ ଭର୍ତ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

କାଦ ପଚପଚ ରାସ୍ତାରେ ଯାତାୟତ କରୁଛନ୍ତି ପିପଲମୁଣ୍ଡା ଗାଁ ଲୋକେ । ଗାଁ ଲୋକେ କହିବା ଅନୁସାରେ, ଦୀର୍ଘ ଦିନରୁ ଏହି ରାସ୍ତାରେ ମାଟି ମୁଠାଏ ପଡିନି । 4 ବର୍ଷ ପୂର୍ବେ ପ୍ରଶାସନ ପକ୍ଷରୁ ରାସ୍ତା ମରାମତି ହୋଇଥିଲା ସତ, କିନ୍ତୁ ଏହାପରେ ମରାମତିର ନାଁ ଗନ୍ଧ ନାହିଁ। ସେଦିନ ପରଠୁ ସରକାର ଭୁଲିଗଲେ ରାସ୍ତାର ହାଲଚାଲ ପଚାରି ବୁଝିବା ପାଇଁ । ପିପଲମୁଣ୍ଡା ଗାଁରେ ବର୍ଷା ହେଲେ ରାସ୍ତା ପାଲଟିଯାଏ ଚାଷଜମି ।

ଏହି କାଦୁଅ ଭରା ରାସ୍ତାରେ ବହୁ ବାଇକ ଅରୋହୀ ଓ ପଥଚାରୀମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ସମସ୍ୟା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଲେ ବି ଫଳ ଶୂନ। ସବୁ ଆଡ଼ୁ ନିରାଶ ହେବା ପରେ ପ୍ରଶାସନ ନିକଟରେ ନିଜ ପ୍ରତିବାଦ ଜଣାଇବାକୁ ଗାଁ ରାସ୍ତାରେ ଧାନ ରୋଇଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ଏପରି ଅଭିନବ ପଦକ୍ଷେପକୁ ଅନ୍ୟମାନେ ପ୍ରଶଂସା କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details