ବଲାଙ୍ଗୀର: ଭୁବନେଶ୍ବର ଚନ୍ଦକାରୁ ଅପହୃତ ଦୁଇ ନାବାଳକ ବଲାଙ୍ଗୀର ଟିଟିଲାଗଡରୁ ଉଦ୍ଧାର ହୋଇଛନ୍ତି । କିଛି ଦୁବୃର୍ତ୍ତ ତାଙ୍କୁ ଅପହରଣ କରି ଚାଲାଣ କରୁଥିବା ବେଳେ କୌଶଳକ୍ରମେ ଏମାନେ ତାଙ୍କ ହାତରୁ ଖସି ଆସିବାରେ ସକ୍ଷମ ହୋଇଛନ୍ତି । ଏମାନଙ୍କୁ ଚାଲାଣ କରାଯାଉଥିବା ଟ୍ରକ୍ରେ ଅନ୍ୟ ଅପହୃତ ମାନେ ମଧ୍ୟ ରହିଥିବା ଏମାନେ ପୋଲିସକୁ କହିଛନ୍ତି । ସେପଟେ ଚନ୍ଦକା ପୋଲିସକୁ ଏହି ଦୁଇ ଛାତ୍ରଙ୍କୁ ବଲାଙ୍ଗୀର ପୋଲିସ୍ ହସ୍ତାନ୍ତର କରିବ ବୋଲି ଜଣାପଡିଛି । ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
ଦୁର୍ବୃତ୍ତଙ୍କ କବଳରୁ ଖସି ଆସିବା ପରେ ଦୁର୍ବୃତ୍ତ ମାନେ କିପରି ସେମାନଙ୍କୁ ଅପହରଣ କରିଥିଲେ, ସେନେଇ ପୋଲିସ ଆଗରେ ସବୁ ବଖାଣିଛନ୍ତି ଦୁଇ ନାବାଳକ । ସେମାନେ କହିବା ଅନୁସାରେ ଉଭୟ ନାବାଳକ ଛାତ୍ର ସ୍କୁଲ ଯାଇଥିଲେ । ହେଲେ ସାଙ୍ଗରେ ଖାଇବା ପାଇଁ ଟିଫିନ୍ ନେଇ ନଥିବାରୁ ସେମାନେ ପାଖରେ ଥିବା ଏକ ହୋଟେଲକୁ ଖାଇବା କିଣିବାକୁ ଯାଉଥିଲେ । ଏହି ସମୟରେ ପାଖରେ ଏକ ଚାରି ଚକିଆ ଗାଡ଼ିରୁ ଦୁଇ ଜଣ ଅଜଣା ବ୍ୟକ୍ତି ଆସି ତାଙ୍କୁ ପଛ ପଟୁ ମୁହଁ ବନ୍ଦ କରି ଏମାନଙ୍କୁ ସେହି ଗାଡ଼ିରେ ଅପହରଣ କରିନେଇଥିଲେ । ଟିଟିଲାଗଡ଼ଠାରେ ଏମାନଙ୍କୁ ଏକ ଟ୍ରକ ଯୋଗେ ଚାଲାଣ କରୁଥିବା ବେଳେ ବଲାଙ୍ଗୀର- ଟିଟିଲାଗଡ ଫାଟକ ଠାରେ ଏହି ଟ୍ରକ୍ଟି ରହିଥିଲା । ଯେଉଁଠାରେ ଏମାନେ ସୁଯୋଗ ପାଇ ଟ୍ରକରୁ ଡେଇଁ ପୋଲିସ ପାଖକୁ ଆସି ସବୁ ବୟାନ କରିଥିଲେ । ଟିଟିଲାଗଡ ପୋଲିସ୍ ଏମାନଙ୍କ ବୟାନ ଆଧାରରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ସେହିପରି ଏହି ଦୁଇ ନାବାଳକ ସହ ଅନ୍ୟ କିଛି ଶିଶୁଙ୍କୁ ମଧ୍ୟ ସେମାନେ ଚାଲାଣ କରୁଥିବାର କୁହାଯାଉଛି । ଯାହାକୁ ନେଇ ପୋଲିସ ତଦନ୍ତ କରୁଥିବାର ଜଣାପଡ଼ିଛି ।