ବଲାଙ୍ଗୀର: ଦୁଇ ଦିନିଆ ଜାତୀୟ ସ୍ତରୀୟ ଗୋପାଳନ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ଦୁଇ ହଜାରରୁ ଊର୍ଦ୍ଧ୍ବ ଗୋପାଳକ ତଥା ଦୁଗ୍ଧ ଚାଷୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଦୁଗ୍ଧ ଚାଷୀ ସହିତ ଉଦୟୀମାନ ଉଦ୍ୟୋଗୀଙ୍କ ରୋଜଗାର ବୃଦ୍ଧି ଏବଂ ମେକ ଇନ ଓଡ଼ିଶାରେ ସାମିଲ ନେଇ ପ୍ରଚେଷ୍ଟା ଆରମ୍ଭ ହୋଇଛି ।
ଜାତୀୟ ସ୍ତରୀୟ ଗୋପାଳନ ସମ୍ମିଳନୀରେ ଦୁଗ୍ଧ ଚାଷୀଙ୍କ ସମେତ ଶତାଧିକ ଦୁଗ୍ଧ କମ୍ପାନୀ, ଜାତୀୟ ସ୍ତରର ବିଶେଷଜ୍ଞ ଡାକ୍ତର ଓ ବୈଜ୍ଞାନିକ ଏଥିରେ ସାମିଲ ହୋଇଥିଲେ । ବଲାଙ୍ଗୀର, ନୂଆପଡା ଓ କଳାହାଣ୍ଡି ଜିଲ୍ଲାରେ ବିଗତ ଦୁଇ ବର୍ଷ ହେବ ଦୁଗ୍ଧ ଉପ୍ତାଦନ ବୃଦ୍ଧି ପାଇଛି । ଫଳରେ ଚାଷୀ ଲାଭବାନ ହୋଇଛନ୍ତି । ଚାଷୀଙ୍କୁ ଆଧୁନିକ ପ୍ରଯୁକ୍ତି ବିଜ୍ଞାନ ଶୈଳୀ, ଦୈନନ୍ଦିନ ଆସୁଥିବା ସମସ୍ୟା ସମାଧାନ ସହ କିପରି ନିଜ ଆୟ ବୃଦ୍ଧି କରିପାରିବେ ସେନେଇ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି ଦେଶର ଅନେକ ଉଦ୍ୟୋଗୀ, କମ୍ପାନୀମାନେ ମଧ୍ୟ ଏଠିକାର ଚାଷୀଙ୍କ ସହିତ ସିଧାସଳଖ କଥା ହୋଇ ବିଭିନ୍ନ ଉତ୍ପାଦ ବାବଦରେ ଜଣାଇଛନ୍ତି । ସମାନ ଭାବରେ ଏଠି ସାମିଲ ହୋଇଥିବା ଦେଶର ବିଭନ୍ନ ସଂସ୍ଥାନର ବିଶେଷଜ୍ଞ ଡାକ୍ତର ଓ ବୈଜ୍ଞାନିକମାନେ ମଧ୍ୟ ଚାଷୀଙ୍କ ସହିତ ଆଲୋଚନା କରି ପରାମର୍ଶ ଦେଇଛନ୍ତି । ତେବେ ଏଥିରେ ବିକେଏନ ମିଳ୍କ ୟୁନିୟନର ସବୁ କର୍ମକର୍ତ୍ତା, ବିକେଏନ ଜିଏମ ଡାକ୍ତର ସରୋଜ ସାହୁ, ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସହ ସବୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।