ବଲାଙ୍ଗୀର: ପୁଣି ଆନ୍ଦୋଳନକୁ ଓହ୍ଲାଇଲା ଆଦିବାସୀ ସଂଗଠନ । ନକଲି ଆଦିବାସୀ ହଟାଇବା ଓ ମାଲି ରଣା ସଂପ୍ରଦାୟଙ୍କୁ ଆଦିବାସୀ ମାନ୍ୟତା ଦେବା ବିରୋଧରେ ଆନ୍ଦୋଳନ କରିଛନ୍ତି ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ । ଏଥିରେ ଶତାଧିକ ଆଦିବାସୀ ଏକାଠି ହୋଇ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ସହରରେ ଶୋଭାଯାତ୍ରା କରିଥିଲେ । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ସୂଚନା ମୁତାବକ, କିଛି ଦିନ ତଳେ ଏକ ଆଦିବାସୀ ସଂଗଠନ ବିଭିନ୍ନ ପ୍ରସଙ୍ଗ ଓ ଦାବି ନେଇ ଆନ୍ଦୋଳନ କରିଥିଲା । ଗତକାଲି ପୁଣି ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଏହି ଆନ୍ଦୋଳନ କରିଛି । ତେବେ ନକଲି ଆଦିବାସୀ ହଟାଇବା, ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଦେବା ଓ ମାଲି ରଣା ସଂପ୍ରଦାୟଙ୍କୁ ଆଦିବାସୀ ମାନ୍ୟତା ନଦେବା ଆଦି ବିଭିନ୍ନ ଦାବି ନେଇ ଆନ୍ଦୋଳନ କରିଥିଲେ । ତେବେ ଏନେଇ ଆଦିବାସୀ କଲ୍ୟାଣ ସଂଘ ସମ୍ପାଦକ ପୁରୁଷୋତ୍ତମ ଧରୁଆ କହିଛନ୍ତି ଯେ, ସେମାନେ ଦୀର୍ଘ ଶର୍ଷରୁ ଶତାଧିକ ନକଲି ଆଦିବାସୀଙ୍କ ତାଲିକା ସରକାରଙ୍କୁ ପ୍ରଦାନ କରିଛନ୍ତି । ଯେଉଁମାନେ ଆଦିବାସୀ ନାଁରେ ଚାକିରି କରି ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ଛଡ଼ାଇ ନେଇଥିବା ସେ ଅଭିଯୋଗ କରିଛନ୍ତି ।
ହେଲେ ରାଜ୍ୟ ସରକାର ଅଭିଯୋଗର ତଦନ୍ତ ଆରମ୍ଭ କରିଥିଲେ ସୁଦ୍ଧା ଏଯାଏଁ ବିଶେଷ ପଦକ୍ଷେପ ନେଇ ନାହାନ୍ତି । ସେହିପରି ମାଲି ରଣା ଜାତିଙ୍କୁ ଆଦିବାସୀ ମାନ୍ୟତା ଦେବେ ବୋଲି ସରକାର ପ୍ରସ୍ତୁତ ହୋଇଛନ୍ତି । ଯାହାକୁ ଆଦିବାସୀ କଲ୍ୟାଣ ସଂଘ ବିରୋଧ କରୁଥିବା ବେଳେ ଆଗକୁ ତାଙ୍କର ଦାବି ନ ହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ସେ କହିଛନ୍ତି । ସେହିପରି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ସତ୍ୟ ଭୋଇ କହିଛନ୍ତି ଯେ, ରାଜ୍ୟ ସରକାର ଆଦିବାସୀଙ୍କୁ ଅବହେଳା କରି ଆସୁଛନ୍ତି । ଯେଉଁଥିରେ ଆଦିବାସୀ ଜଙ୍ଗଲ ଜମି ଅଧିକାରରୁ ସେମାନେ ବଞ୍ଚିତ ଥିବାର ସେ କହିଛନ୍ତି ।