ବଲାଙ୍ଗୀର:ମନ୍ତ୍ରୀ ଟୁକୁନି ସାହୁ ଓ ଟିଟିଲାଗଡ ପୌରାଧ୍ୟକ୍ଷାଙ୍କ ମଧ୍ୟରେ କଥା କଟାକଟି । ମନ୍ତ୍ରୀ ତାଙ୍କ ପ୍ରତି ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିବା ସହ ଭୋ ଭୋ ହୋଇ କାନ୍ଦିଲେ ପୌରାଧ୍ୟକ୍ଷା । ଶୁକ୍ରବାର ଟିଟିଲାଗଡ ପୌର ପରିଷଦର ପ୍ରଥମ ବୈଠକ ବସିଥିବା ବେଳେ ଏଥିରେ ମନ୍ତ୍ରୀ ଟୁକୁନି ସାହୁ ଓ ପୌରାଧ୍ୟକ୍ଷା ମମତା ଦେବୀ ଜୈନ ମଧ୍ୟରେ ତୁ ତୁ ମେ ମେ ହୋଇଛି । ମନ୍ତ୍ରୀ ତାଙ୍କୁ ଖରାପ ବ୍ୟବହାର କରିଥିବା ପୌରାଧ୍ୟକ୍ଷା ଅଭିଯୋଗ କରିଛନ୍ତି । ''ମୁଁ ଯେତିକି କହିବି ପୌରପାଳିକା ସେମିତି ଚାଲିବ । ପୌରପାଳିକା ମୋର । ତମେ କେମିତି ଏହାକୁ ଚଲାଇବ ମୁଁ ଦେଖିବି'', ମନ୍ତ୍ରୀ ଏପରି ଧମକ ଦେଇଥିବା ମଧ୍ୟ ସେ କାନ୍ଦି କାନ୍ଦି ଅଭିଯୋଗ ଆଣିଛନ୍ତି ।
ଶୁକ୍ରବାର ଟିଟିଲାଗଡ ପୌର ପରିଷଦର ପ୍ରଥମ ବୈଠକ ବସିଥିଲା । ଏଥିରେ ଟିଟିଲାଗଡ ଉପଜିଲ୍ଲପାଳ ସହ ଓଡ଼ିଶା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଟିଟିଲାଗଡର କିଛି ସମସ୍ୟାକୁ ନେଇ ପୌରାଧ୍ୟକ୍ଷା ମମତା ଦେବୀ ଜୈନ ଯୁକ୍ତି ବଢ଼ିଥିବା ବେଳେ ମନ୍ତ୍ରୀ ତାଙ୍କୁ ଜୋର ଜବରଦସ୍ତ ଚୁପ୍ କରିବା ସହ ପୌରପାଳିକା ତାଙ୍କ ଇଙ୍ଗିତରେ ଚାଲିବ ବୋଲି କହିଥିଲେ । ଏହାକୁ ନେଇ ମନ୍ତ୍ରୀ ଓ ପୌରାଧକ୍ଷା ମମତା ଦେବୀ ଜୈନଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଯାହାପରେ ମନ୍ତ୍ରୀ ତାଙ୍କୁ ବାହାରକୁ ଚାଲିଯିବାର କହିଥିବା ଓ ଦୁର୍ବ୍ୟବହାର କରିଥିବାର ମମତା ଦେବୀ ଗୁରୁତର ଅଭିଯୋଗ ଆଣିଛନ୍ତି । ଲୋକ ତାଙ୍କୁ ଭୋଟ ଦେଇଛନ୍ତି । ଲୋକଙ୍କ ପାଇଁ ତାଙ୍କ କାର୍ଯ୍ୟ ମହତ୍ତ୍ଵ ରଖୁଥିବାବେଳେ ମନ୍ତ୍ରୀ ସେଥିରେ ବାଧା ଦେଉଥିବା ସେ କହିଛନ୍ତି ।