ବଲାଙ୍ଗୀର:ଜିଲ୍ଲାର ଆଦିବାସୀଙ୍କ ପ୍ରସିଦ୍ଧ ପର୍ବ ସୁଲିଆ ଯାତ୍ରା ମଙ୍ଗଳବାର ପାଳନ ହୋଇଛି । ପ୍ରଶାସନର ନିବେଦନ ସତ୍ତ୍ବେ ଆଦିବାସୀ ସମ୍ପ୍ରଦାୟ ତାଙ୍କ ରୀତିନୀତି ଅନୁଯାୟୀ ଏହି ପର୍ବ ପାଇଁ ସମସ୍ତ ସୁଲିଆ ପୀଠରେ ହଜାର ହଜାର ପଶୁପକ୍ଷୀଙ୍କ ବଳି ଦେବା ଆରମ୍ଭ କରିଛନ୍ତି । ପୀଠରେ ଶାନ୍ତିଶୃଙ୍ଖଳା ଲାଗି ବ୍ୟାପକ ପୋଲିସ ଫୋର୍ସକୁ ମୁତୟନ କରାଯାଇଛି ।
ବଲାଙ୍ଗୀରର ପ୍ରସିଦ୍ଧ ଶୁଲିଆ ଯାତ୍ରା: ପରମ୍ପରା-ରୀତିନୀତି ଅନୁସାରେ ପଡିଲା ବଳି ଆଦିବାସୀ ସମ୍ପ୍ରଦାୟର ଲୋକ ତଥା ଭକ୍ତ ନିଜର ଏହି ସୁଲିଆ ପୀଠରେ ସମସ୍ତଙ୍କ ମାନସ୍କାମନା ପୁରଣ ହେଉଥିବା ବେଳେ ମାନସିକ ଧାରୀଙ୍କ ପ୍ରବଲ ଭିଡ ଜମିଛି। ତେବେ ଆବହମାନ କାଲରୁ ଏହି ଯାତ୍ରା ପାଳିତ ହୋଉ ଥିବା ବେଳେ ଆଦିବାସୀ ବଳି ପ୍ରଥାକୁ ଏବେ ବି ପାଳନ କରୁଛନ୍ତି । ତେବେ ଏଥର କୋରୋନା କଟକଣା ଯୋଗୁଁ ସୁଲିଆ କମିଟି ଓ ପ୍ରଶାସନ ମିଳିତ ଭାବରେ ପୀଠରେ କୌଣସି ଦୋକାନ ବଜାର ଲଗାଇବାକୁ ଅନୁମତି ଦିଆଯାଇନାହିଁ ଏବଂ ବିଧି ଅନୁସାରେ ପୂଜା ସହ ବଳି ଜାରି ରହିଛି ।
ତେବେ ବର୍ଷର ପୌଷ ମାସ ପ୍ରଥମ ମଙ୍ଗଳବାର ଦିନ ଆଦିବାସୀ ଏହି ସୁଲିଆ ଯାତ୍ରା ପାଳନ କରିଥାନ୍ତି । ସମ୍ପ୍ରଦାୟର ରୀତିନୀତି ଅନୁସାରେ ଏହି ଯାତ୍ରା ସେମାନେ ଦଶନ୍ଧି ଧରି ପାଳି ଆସୁଛନ୍ତି । ତେବେ ମଙ୍ଗଳବାର ଦିନ ତମାମ ଏହି ଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ସନ୍ଧ୍ୟା ଶୁଦ୍ଧା ହଜାର ହଜାର ପଶୁ ପକ୍ଷୀଙ୍କୁ ଏଠାରେ ବଳି ଦିଆଯିବ । ଯେଉଁଥିରେ ମେଣ୍ଢା, ପୋଢ, ଛେଳି ଓ କୁକୁଡାର ବଳି ଅନବରତ ପଡି ଆସୁଛି । ତେବେ ବଲାଙ୍ଗୀର ଜିଲ୍ଲାରେ ପାଞ୍ଚଟି ସ୍ଥାନରେ ଏହି ସୁଲିଆ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ତୁସୁରା ଥାନା ଅନ୍ତର୍ଗତ ଖଇରଗୁଡା ଗ୍ରାମର ବଡଖଳା ଓ ସାନଖଳାରେ ଏହାର ମୁଖ୍ୟ ପୂଜା ହୋଇଥାଏ ।
ଏହି ଉତ୍ସବରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲୋକଙ୍କ ପ୍ରବଳ ଭିଡ ଜମିଥାଏ । ସେପଟେ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷ୍ୟରୁ ଭିଡକୁ ଦେଖି ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଯେଉଁଥିରେ ତିନି ପ୍ଲାଟୁନ ଫୋର୍ସ ପୋଲିସଙ୍କୁ ମୁତୟନ କରାଯାଇଥିବା ବେଳେ ସ୍ୱାସ୍ଥ୍ୟ, ଅଗ୍ନିଶମ ଭଳି ସମସ୍ତ ବିଭାଗ ଏଠାରେ ଉପସ୍ଥିତ ରହିଛନ୍ତି । ତେବେ ପୂର୍ବରୁ ସୁଲିଆ କମିଟି ସହିତ ଆଲୋଚନା ଅନୁସାରେ ଏଠି ସବୁ ବ୍ୟବସ୍ଥା ଠିକ୍ ଥିବାର କହିଛି ପ୍ରଶାସନ ଏବଂ ବିଗତ ବର୍ଷ ଅପେକ୍ଷା ଏଥର ବଳି କମ୍ ପଡିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ