ବଲାଙ୍ଗୀର:ଜାଲ ସାର୍ଟିଫିକେଟରେ ଚାକିରି କରିବା ପଡ଼ିଲା ମହଙ୍ଗା । ନକଲି ସାର୍ଟିଫିକେଟରେ ଚାକିରି କରି ବନ୍ଧା ହେଲେ ଶିକ୍ଷୟିତ୍ରୀ । ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଭିଯୋଗ ପରେ ସ୍କୁଲରୁ ଶିକ୍ଷୟିତ୍ରୀ ଗିରଫ । ଶିକ୍ଷୟିତ୍ରୀ ଜଣଙ୍କ ହେଉଛନ୍ତି ମନ୍ମୟୀ ପଣ୍ଡା । ବିଗତ 10 ବର୍ଷ ହେବ ବଲାଙ୍ଗୀର ପୁଇଁନ୍ତଳା ବ୍ଲକ ସ୍ଥିତ ରଣ୍ଡା ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷୟିତ୍ରୀ ଭାବରେ ନିୟୋଜିତ ଥିଲେ । ତାଙ୍କର ବିଏସସି ସାର୍ଟିଫିକେଟ ବାହାର ରାଜ୍ୟର ହୋଇଥିବା ବେଳେ ତାହା ଜାଲ ବୋଲି ଜଣା ପଡ଼ିଛି ।
କିଛି ମାସ ପୂର୍ବରୁ ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ରାକେଟ ଠାବ ହୋଇଥିଲା । ଏହାପରେ ଜାଲ ସାର୍ଟିଫିକେଟରେ ଅନେକ ଲୋକ ସରକାରୀ ଚାକିରି କରିଥିବା ଅଭିଯୋଗ ହୋଇ ଆସୁଥିଲା । ବିଶେଷ କରି ଶିକ୍ଷା ବିଭାଗର ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅନେକଙ୍କ ନାମରେ ଅଭିଯୋଗ ଆସିଥିଲା । ଏହାକୁ ଭିତ୍ତି କରି ରାଜ୍ୟ ବାହାରୁ ସାର୍ଟିଫିକେଟ ଆଣି ଚାକିରି କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିରେ ପର୍ଯ୍ୟାୟ କ୍ରମେ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଗିରଫ ହୋଇ ସାରିଲେଣି । ସେହିପରି ବଲାଙ୍ଗୀର ଶିକ୍ଷା ଅଧିକାରୀଙ୍କ ଅଭିଯୋଗ କ୍ରମେ ପୋଲିସ ଆଜି ବଲାଙ୍ଗୀର ପୁଇଁନ୍ତଳା ବ୍ଲକ ସ୍ଥିତ ରଣ୍ଡା ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷୟିତ୍ରୀଙ୍କୁ ଗିରଫ କରିଛି ।
ଡିଇଓଙ୍କ ଅଭିଯୋଗ ପରେ ଆଜି ବଲାଙ୍ଗୀର ଟାଉନ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବଲାଙ୍ଗୀର ଡିଇଓଙ୍କ ଲିଖିତ ଅଭିଯୋଗ କ୍ରମେ ପୋଲିସ ଏହି ପଦକ୍ଷେପ ନେଇଥିବାର ସୂଚନା ଦେଇଛନ୍ତି ବଲାଙ୍ଗୀର ଏସଡିପିଓ ତୁଫାନ ବାଗ । ଡିଇଓ ଲିଖିତ ଅଭିଯୋଗ କରିଥିଲେ ଯେ, ବଲାଙ୍ଗୀରର ଚାରି ଜଣ ଶିକ୍ଷକ ନକଲି ସାର୍ଟିଫିକେଟ ଦେଇ ସରକାରୀ ଶିକ୍ଷକ ଚାକିରି ହାତେଇଛନ୍ତି । ଅଭିଯୋଗ ପରେ ଘଟଣାର ତଦନ୍ତ କରାଯିବା ପରେ ସତ ସାମ୍ନାକୁ ଆସିଥିଲା । ମନ୍ମୟୀ ପଣ୍ଡା ବିଏସ୍ସି ସାର୍ଟିଫିକେଟ ବାହାର ରାଜ୍ୟର ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଏସ୍ଡିପିଓ । ସେମାନେ ବଲାଙ୍ଗୀର ବଙ୍ଗୋମୁଣ୍ଡା, ବେଲାପଡ଼ା ଓ ବଲାଙ୍ଗୀର ଅଞ୍ଚଳରେ ଥିବା ବିଭିନ୍ନ ସ୍କୁଲରେ ଚାକିରି କରୁଛନ୍ତି । ତେବେ ଗିରଫ ଶିକ୍ଷୟିତ୍ରୀ କେଉଁଠୁ କେମିତି ଜାଲ ସାର୍ଟିଫିକେଟ ଆଣିଥିଲେ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।