ବଲାଙ୍ଗୀର: ମଣିଷର ଦୃଢ ଇଚ୍ଛାଶକ୍ତି ତାକୁ ସଫଳ କରି ଗଢି ତୋଳିଥାଏ । ଜୀବନରେ ଆସୁଥିବା ଅନେକ କଷ୍ଟ ଓ ଦୁଃଖ ସହ ଲଢି କିଛି ମଣିଷ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ସେପରି ଏକ ସଫଳ ମଣିଷ ହେଉଛନ୍ତି ଲୋଇସିଙ୍ଗା ବ୍ଲକ ଅନ୍ତର୍ଗତ ସାନଟିକା ଗ୍ରାମର ସୁରେଶ ନାଏକ। ସେ ଛୋଟ ଦିନରୁ ଅନ୍ଧ ହୋଇ ଥିଲେ ମଧ୍ୟ ଦୃଢ ଇଛାଶକ୍ତି ତାଙ୍କୁ ଜଣେ ସଫଳ ମଣିଷ ଭାବରେ ପରିଚିତ କରିଛି । ତାଙ୍କର ଆଖି ନଥାଇ ମଧ୍ୟ ଜଣେ ସଫଳ ଚାଷୀ ହୋଇ ପାରିଛନ୍ତି । କେବଳ ସଫଳ ଚାଷୀ ନୁହେଁ ବରଂ ସେ ଏକାଧାରରେ ଜଣେ ସଙ୍ଗୀତକାର, ଗୀତିକାର ହୋଇ ନିଜକୁ ଗୁରୁ ବୋଲି ସବୁଠି ସେ ନିଜର ପରିଚୟ ସୃଷ୍ଟି କରିଛନ୍ତି ।
ବୟସର ଶେଷ ପାହାଚ ଛୁଇଁଲାଣି । ଅଣ୍ଟା ନଇଁଗଲାଣି, ଚମ ବି ଧୁଡୁକିଗଲାଣି । ଆଖିକୁ ତ ପିଲାଦିନୁ କିଛି ଦେଖାଯାଉ ନାହିଁ । ମାତ୍ର ତିନି ବର୍ଷ ବୟସ ହେଉଥିବା ବେଳେ ତାଙ୍କୁ ରୋଗ ହୋଇଥିଲା । ଏବଂ ଏଥିରେ ତାଙ୍କର ଦୁଇ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଫଳରେ ରଙ୍ଗୀନ ଦୁନିଆ ସତେ ଯେମିତି ତାଙ୍କ ପାଇଁ ଅନ୍ଧାର ହୋଇ ଯାଇଥିବା ବେଳେ ଭବିଷ୍ୟତ ମଧ୍ୟ ଅନ୍ଧାର ମଧ୍ୟକୁ ଠେଲି ହୋଇ ଯାଇଥିଲା । ସେପଟେ ଗରିବ ହୋଇଥିବାରୁ ଏହି ଦୁଃଖ ଆହୁରି ଦ୍ବିଗୁଣିତ ହୋଇଥିଲା । କିନ୍ତୁ ବୟସ ବଢି ଚାଲି ଥିବା ବେଳେ ସେ ମଧ୍ୟ ନିଜ ସଂଗ୍ରାମ ଜାରି ରଖିଥିଲେ । ଧୀର ଧୀରେ ତାଙ୍କ ଦୁଇ ଏକର ଜମିରେ ନିଜେ ଚାଷ କାମ କରିବା ଆରମ୍ଭ କରିଥିଲେ । ବିନା ଆଖିରେ ଚାଷ କାମ ଅସମ୍ଭବ ହୋଇଥିଲେ ମଧ୍ୟ ସେ ଏହା ସଫଳ ଭାବରେ କରି ଦେଖାଇ ଦେଇଛନ୍ତି ।