ବଲାଙ୍ଗୀର:ଆଜି ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା ପାଳନ ହେଉଛି। ଯେଉଁଥିରେ ପୁଣି ରକ୍ତରଞ୍ଜିତ ହୋଇଛି ସୁଲିଆ ପୀଠ। ବଲାଙ୍ଗୀର ଖଇରଗୁରାର ବଡଖଳା ଓ କୁମୁରିଆର ସାନଖଳାରେ ହଜାର ହଜାର ସଂଖ୍ୟାରେ ପଶୁ ବଳି ପଡିଛି। ତାହା ପୁଣି ପୋଲିସ ଉପସ୍ଥିତିରେ। ତେବେ କେବଳ ବିଧିରକ୍ଷା ପାଇଁ ବଳି ଦିଆଯାଉଥିବା କୁହାଯାଉଥିଲେ ମଧ୍ୟ ପୀଠରେ ହଜାର ହଜାର ସଂଖ୍ୟାରେ ବଳି ପଡିଛି।
ଆଦିବାସୀ ରୀତି ନୀତି ପରମ୍ପରା ଅନୁସାରେ ନିଶି ପୂଜା ପରେ ସକାଳେ ପାଟ ବୋଦା ଧରି ଏକ ବିରାଟ ଶୋଭାଯାତ୍ରାରେ ସୁଲିଆ ପୀଠକୁ ଆସିଥିଲେ ଆଦିବାସୀ । ଏହାପରେ ସୁଲିଆ ବୁଢ଼ା ପାଖରେ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରିବା ପରେ ଦେହୁରୀ ଦେହରେ କାଳସୀ ସବାର ହୋଇଥିଲା। ତାପରେ ଆରମ୍ଭ ହୋଇଥିଲା ବଳି। ପ୍ରଥମେ ଧଳା କୁକୁଡ଼ା, ଓ ଧଳା ବୋଦା ବଳି ଦିଆଯାଇଥିଲା। ପରେ ଶ୍ରଦ୍ଧାଳୁ ଆଣିଥିବା ବୋଦା, କୁକୁଡ଼ାକୁ ଗୋଟିଏ ପରେ ଗୋଟିଏ ବଳି ଚଢା ଯାଇଥିଲା। ପୀଠରେ ହଜାର ହଜାର ସଂଖ୍ୟାରେ ପଶୁବଳି ପଡ଼ିବା ସହ ପୋଢ଼ ବଳି ମଧ୍ୟ ଦିଆଯାଇଥିଲା। ଆଦିବାସୀଙ୍କ ଏହି ପରମ୍ପରା ବହୁ ଦିନରୁ ଚଳି ଆସୁଥିବା ମୁଖ୍ୟ ପୂଜକ କହନ୍ତି।
ଅନ୍ୟପଟେ ସୁଲିଆ ବୁଢ଼ାଙ୍କ ଅପାର କରୁଣାରେ ମାନସିକ ପୂରଣ ହେଉଥିବା ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି। ପ୍ରତିବର୍ଷ ପୌଷ ମାସର ପ୍ରଥମ ମଙ୍ଗଳବାର ଦିନ ପ୍ରସିଦ୍ଧ ସୁଲିଆ ଯାତ୍ରା ପାଳିତ ହୋଇଥାଏ । ହେଲେ ଚଳିତ ବର୍ଷ ପ୍ରଥମ ମଙ୍ଗଳବାର ପ୍ରତିପଦା ପଡିଥିବାରୁ ଆଜି ଦ୍ଵିତୀୟ ମଙ୍ଗଳବାର ଦିନ ଶୁଲିଆ ଯାତ୍ରା ପାଳନ କରାଯାଇଛି। କେଉଁ ଆବାହନ କାଳରୁ ପ୍ରଚଳିତ ଏହି ପରମ୍ପରା ତଥା ଆଦିବାସୀଙ୍କ ମହାନ୍ ପର୍ବ ହୋଇଥିଲେ ମଧ୍ୟ ଯାତ୍ରାରେ ସବୁ ସମାଜର ଲୋକଙ୍କ ଗହଳି ଲାଗେ। ଏଥିପାଇଁ ଜିଲ୍ଲା ତଥା ବାହାର ଜିଲ୍ଲା ଓ ରାଜ୍ୟ ବାହାରୁ ମଧ୍ୟ ଶ୍ରଦ୍ଧାଳୁ ଏଠାକୁ ଧାଇଁ ଆସିଥାନ୍ତି।