ଭୁବନେଶ୍ବର: ତିନି ଦିନିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଯାଇଛନ୍ତି ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନୀକାନ୍ତ ସାହୁ । ପ୍ରଥମ ଦିନରେ ମାରାଥନ ଗସ୍ତରେ ପାଟଣାଗଡର ବିଭିନ୍ନ ଗ୍ରାମାଞ୍ଚଳ ପରିଦର୍ଶନ କରିଛନ୍ତି । ସେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡିକର ସଫଳ କାର୍ଯ୍ୟକାରିତା ବାବଦରେ ଜନସାଧାରଣଙ୍କଠାରୁ ଅବଗତ ହୋଇଛନ୍ତି । ପ୍ରଥମ ଦିନରେ ଅବନୀକାନ୍ତ ବଣାଇମୁଣ୍ଡା ଅଙ୍ଗନବାଡି କେନ୍ଦ୍ର-୨ ଏବଂ ଆଶ୍ରମ ସ୍କୁଲ ପରିଦର୍ଶନ କରିଥିଲେ । ସେଠାରେ ମଧ୍ୟାହ୍ନ ଭୋଜନ, ଓଜନ ମାପକ ଯନ୍ତ୍ର, ଛତୁଆର ମାନ ପରଖିଥିଲେ । ପିଲାଙ୍କ ସ୍ୱାସ୍ଥ୍ୟରେ ଖିଲାପି ନକରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ତାଗିଦ କରିଥିଲେ ଖାଦ୍ୟ ଆୟୋଗ ଅଧ୍ୟକ୍ଷ । ପରେ ପରେ ବଣାଇମୁଣ୍ଡା ଅଙ୍ଗନବାଡି କେନ୍ଦ୍ର-୨ରେ ଓଡିଶା ସରକାରଙ୍କ ଏନିମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ ବିଷୟରେ ବିଶଦ ଆଲୋଚନା କରିଥିଲେ ।
ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଲୋକଙ୍କୁ ସଚେତନ କରିବା ସହ କାର୍ଯ୍ୟକ୍ରମର ସ୍ଥିତି ପରଖିଥିଲେ । ଏହାପରେ ସେ ବଥ୍ରଲା ଗ୍ରାମ ପଞ୍ଚାୟତର ଦୁଇଟି ଭିନ୍ନକ୍ଷମ ସ୍ୱୟଂ ସହାୟକ ଗୋଷ୍ଠୀକୁ ୨ଟି ହ୍ବିଲ୍ଚେୟାର, ୨ଟି ଟ୍ରାଇ ସାଇକେଲ ଏବଂ ମିଶନ କ୍ଷମତା ଯୋଜନା ଆଧାରରେ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିଲେ । ଏହାପରେ ଅଧ୍ୟକ୍ଷ ହରିଶଙ୍କର ମନ୍ଦିର ମଧ୍ୟ ପରିଦର୍ଶନ କରିଥିଲେ । ଏହି ଅବସରରେ ସେ ମନ୍ଦିର ବେଢ଼ା ପାଶ୍ୱର୍ବର୍ତ୍ତୀ କାମର ଅଗ୍ରଗତି ବିଷୟରେ ସମୀକ୍ଷା କରିଛନ୍ତି । ପରେ ଅପରାହ୍ନରେ ପାଟଣାଗଡ଼ ବ୍ଲକ ଅଫିସ୍ ସମ୍ମିଳନୀ କକ୍ଷରେ ଅଧିକାରୀଙ୍କ ସହ ବିଭିନ୍ନ ଯୋଜନାର ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ କରିଥିଲେ ।
ଏହା ମଧ୍ୟ ପଢନ୍ତୁ: ରାଜ୍ୟରେ ପଞ୍ଚାୟତ ଗୁଡିକର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ନେଇ ବୁଝାମଣାପତ୍ର ସ୍ବାକ୍ଷରିତ