ଓଡିଶା

odisha

ETV Bharat / state

କୋଳେଇ କାଖେଇ ମଣିଷ କରିଥିଲେ, ପରିଣତ ବୟସରେ ଘରୁ ତଡ଼ିଦେଲା ଅଯୋଗ୍ୟ ପୁଅ

ମାତୃତ୍ୱ ଦିବସ ପାଳିଛି ସାରା ବିଶ୍ବ । ହେଲେ ପରିଣତ ବୟସରେ ସାହାରା ଖୋଜୁଛନ୍ତି ଅସହାୟ ମାଆ । ଜନ୍ମକଲା ବାପାମାଆଙ୍କୁ ମାଡ଼ ମାରି ଘରୁ ତଡି ଦେଲା ସ୍ବାର୍ଥପର ପୁଅ । ଅଧିକ ପଢ଼ନ୍ତୁ

By

Published : May 14, 2023, 9:32 PM IST

son flees leaving oldage parent on road
ପରିଣତ ବୟସରେ ଅଲୋଡ଼ା ହେଲେ ବାପାମାଆ

ପରିଣତ ବୟସରେ ଅଲୋଡ଼ା ହେଲେ ବାପାମାଆ

ବଲାଙ୍ଗୀର: ଜୀବନ ଶବ୍ଦକୋଷର ପ୍ରଥମ ଅକ୍ଷର ମା'...ଯାହା ବିନା ସନ୍ତାନର ନାଁ ରହିଛି ପରିଚୟ ନାଁ ରହିଛି ଅସ୍ତିତ୍ବ । କିଛି ନକହିବା ଆଗରୁ ସେ ସବୁକିଛି ବୁଝିଯାଏ । ହେଲେ ବୟସର ଅପରାହ୍ନରେ ତା ମନର ପରିଭାଷାକୁ ବୁଝିପାରେନି ସନ୍ତାନ । ଅଲୋଡା କରି ହାତ ଛାଡ଼ିଦିଏ । ମାଆକୁ ସମ୍ମାନ ଜଣାଇକୁ ଯାଇ ସାରା ବିଶ୍ବ ମାତୃତ୍ୱ ଦିବସ ପାଳନ କରିଛି । ହେଲେ ଆଜିକାର ସ୍ବାର୍ଥପର ଦୁନିଆରେ ଅସହାୟ ପାଲଟିଛି ମାଆ । ବଲାଙ୍ଗୀର ଜିଲ୍ଲାରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ପରିଣତ ବୟସରେ ବାପାମାଆଙ୍କୁ ମାଡ଼ ମାରି ଘରୁ ତଡି ଦେଇଛି ସ୍ବାର୍ଥପର ପୁଅ ।

ବଲାଙ୍ଗୀର ଜିଲ୍ଲା ପଟଣାଗଡ ସିଆଲବନ୍ଧ ଗ୍ରାମର ବାସିନ୍ଦା ଦୁର୍ଯ୍ୟୋଧନ ମେହେର ଓ ପତ୍ନୀ ସାଇବେନି ମେହେର । ସେମାନଙ୍କର ଦୁଇ ପୁଅ ଥିବାବେଳେ ପରିବାରର ଆର୍ଥିକ ପରିସ୍ଥିତି ମଧ୍ୟ ସ୍ବଚ୍ଛଳ । ସେ ବୁଣାକାର ଭାବେ ନିଜ ପରିବାର ଚଳାଉଥିଲେ । ଘରେ ସବୁ ପ୍ରକାରର ସୁବିଧା ରହିଛି ହେଲେ ବୃଦ୍ଧ ବାପାମାଆଙ୍କ ପାଇଁ ପ୍ରେମ ଆଦର ନାହିଁ । ବାପାମାଆଙ୍କୁ ମାଡ଼ ମାରି ଘରୁ ତଡ଼ିଦେଇଥିବା ସେମାନେ ଅଭିଯୋଗ କରିଛନ୍ତି । ପରିଣତ ବୟସରେ ସେମାନଙ୍କ ପାଇଁ ଅଲୋଡ଼ା ହୋଇଗଲେ ଜନ୍ମଦାତ୍ରୀ । ଘରୁ ବାହାରି ଆସିବା ପରେ ସେମାନଙ୍କ ପାଇଁ ସାହାରା ପାଲଟିଛି ରାସ୍ତାକଡ଼ । ଆଖିରେ ଆଖିଏ ଲୁହ, ହୃହୟରେ ଅସହ୍ୟ ବେଦନା । ମୁଣ୍ଡଫଟା ଖରାରେ ଭୋକ ଉପବାସରେ ଏଣେତେଣେ ବୁଲୁଛନ୍ତି ଏହି ଅସହାୟ ବୃଦ୍ଧ ଦମ୍ପତି । ଆଇନ ଅଛି ସେମାନେ ଅଭିଯୋଗ କଲେ ପୁଅଙ୍କୁ ଦଣ୍ଡ ହେବ। ହେଲେ ବାପାମାଆ ମନ ପରା..ସନ୍ତାନର ଅନିଷ୍ଟ ଚାହିଁବେ କେମିତି ? ପୁଅ ବିରୁଦ୍ଧରେ ଅଭିଯୋଗ କରିବାକୁ ସେମାନେ ନାରାଜ । ତେଣୁ ଭାଗ୍ୟକୁ ଆଦରି ନିଜକୁ ସମ୍ଭାଳିବା ପାଇଁ ପ୍ରୟାସ କରିଛନ୍ତି । କିଛି ଯୁବକ ବୃଦ୍ଧ ଦମ୍ପତିଙ୍କୁ ଉଦ୍ଧାର କରି ପ୍ରଶାସନକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ସମାଜମଙ୍ଗଳ ଅଧିକାରୀ ପହଞ୍ଚି ତମାମ ଘଟଣା ନେଇ ସେମାନଙ୍କଠାରୁ ପଚାରି ବୁଝିଛନ୍ତି । ଏହାପରେ ତାଙ୍କୁ ସହାୟତା ଯୋଗାଇ ଦିଆଯାଇଛି ।

ଅସହାୟ ବୃଦ୍ଧା ଜଣକ କହିଛନ୍ତି ଯେ, "ଦୁଇ ପୁଅ ସାମାନ୍ୟ କଥାକୁ ନେଇ ଉଭୟଙ୍କୁ ଗାଳି ଗୁଳଜ କରୁଥିଲେ । ସ୍ୱାମୀଙ୍କୁ ମାଡ଼ ମାରି ଘରୁ ବାହାର କରି ଦେଇଛନ୍ତି । ତାଙ୍କ ବାମ ହାତରେ ଗଭୀର ଆଘାତ ମଧ୍ୟ ଲାଗିଛି । ଘର ଛାଡିବା ସହ ନିନ୍ଦା ବଦନାମ ଯୋଗୁଁ ଗାଁ ମଧ୍ୟ ଛାଡି ଦେଇଛୁ । ଏଠୁ ସେଠୁ ଟଙ୍କା ଯୋଗାଡ଼ କରି ସମ୍ପର୍କୀୟଙ୍କ ପାଖକୁ ଯିବୁ । ସେମାନେ ତାଙ୍କୁ ଆଶ୍ରୟ ନଦେଲେ ଭିକ ମାଗି ନିଜର ଗୁଜୁରାଣ ମେଣ୍ଟାଇବୁ।" ତେବେ ଏହି ଅସହାୟ ଦମ୍ପତିଙ୍କୁ ପ୍ରଶାସନିକ କ୍ଷେତ୍ରରେ ସହାୟତା ଯୋଗାଇଦେବାକୁ ଦାବି ହୋଇଛି । ଯେଉଁ ବାପାମାଆ ପିଲାଙ୍କ ଅଳି ଅଝଟ ସହି ସେମାନଙ୍କୁ ବଡ଼ କରିଥିଲେ । ଆଜି ସେମାନେ ତାଙ୍କ ପାଇଁ ଅଲୋଡା ସାଜିଛନ୍ତି । ଖାଲି ମାତୃ ଦିବସ ପାଳନ ନୁହେଁ ମାଆକୁ ଉଚିତ ସମ୍ମାନ ଦେବା ବି ଆବଶ୍ୟକ ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details