ବଲାଙ୍ଗୀର:୭ ବର୍ଷ ବୟସରେ ବାପାମାଆ ଏକା କରିଦେଇଥିଲେ । ବାଳନିକେତନ ଆଶ୍ରମରେ ଜୀବନ କାଟୁଥିଲେ ଶିବାନୀ । ହେଲେ ଏବେ ହାତରେ ଶଙ୍ଖା, ମଥାରେ ସିନ୍ଦୁର ପିନ୍ଧି ବଧୂ ସାଜିଛନ୍ତି ସେ । ଅନ୍ୟ ଝିଅମାନଙ୍କ ପରି ତାଙ୍କୁ ବି ଜୀବନସାଥିଟିଏ ମିଳିଯାଇଛି । ବିନା ଯାନି ଯୌତୁକରେ ବାଜା ରୋଷଣୀ ସହ ବଧୂ ସଜାଇ ନେଇ ଯାଇଛି ବର । ସାତଜନ୍ମ ପାଇଁ ସାଥି କରିଥିବା ପୁରୁଷର ହାତ ଧରି ଶାଶୁଘରକୁ ଯାଇଛନ୍ତି । ଅସହାୟ ଶିବାନୀଙ୍କୁ ବିବାହ କରି ପତ୍ନୀର ପରିଚୟ ଦେଇଛନ୍ତି ଯୁବ ସମାଜସେବୀ ଦେବାଶିଷ । ବଲାଙ୍ଗୀର ପାର୍ବତୀଗିରି ବାଳନିକେତନ ଆଶ୍ରମରେ ବୈଦିକ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଛି ।
2007 ମସିହାରୁ ଶିବାନୀ ଦାସ ବଲାଙ୍ଗୀରସ୍ଥିତ ପାର୍ବତୀଗିରି ବାଳନିକେତନ ଆଶ୍ରମ ରହିଆସୁଥିଲେ । ମାତ୍ର ୭ ବର୍ଷ ବୟସରେ ନିଜ ବାପାମାଆ ତାଙ୍କୁ ପର କରିଦେଇଥିଲେ । ଅସହାୟ ହୋଇ ବୁଲୁଥିବାବେଳେ ଏହି ବାଳନିକେତନ ଆଶ୍ରମ ତାଙ୍କର ଠିକଣା ପାଲଟିଥିଲା । ଶିବାନୀ ଜଣେ ଶିକ୍ଷିତା ଝିଅ ଅଟନ୍ତି । ସେ ଆଇଟିଆଇ ପାସ୍ କରିଛନ୍ତି । ପରିବାର କହିଲେ ଆଶ୍ରମର ଅନ୍ତେବାସୀଙ୍କୁ ତାଙ୍କର ସବୁକିଛି ଥିଲେ । ଯୌବନରେ ପାଦ ଦେବା ପରେ ସେ ମଧ୍ୟ ଅନ୍ୟ ଝିଅଙ୍କ ଭଳି ବିବାହର ସ୍ବପ୍ନ ଦେଖିଥିଲେ । କିନ୍ତୁ ଅନାଥ ଆଶ୍ରମରେ ରହୁଥିବା ଝିଅକୁ କିଏ ବା ଜୀବନସାଥି କରିବ ବୋଲି କେବେ କଳ୍ପନା କରିଥିଲେ । ଯୁବ ସମାଜସେବୀ ଦେବାଶିଷ ତାଙ୍କୁ ବିବାହ କରି ସମାଜରେ ଉଦାହରଣ ସାଜିଛନ୍ତି ।
ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ମଣ୍ଡଳ ଗାଁରେ ଯୁବସମାଜସେବୀ ଦେବାଶିଷ ଖମାରୀଙ୍କ ଘର । ଆଇଟିଆଇ ପାସ୍ କରି ବ୍ୟବସାୟ କରୁଛନ୍ତି । ଅନେକ ଦିନରୁ ଦେବାଶିଷଙ୍କ ପରିବାର ତାଙ୍କ ବିବାହ ପାଇଁ ଝିଅଟିଏ ଖୋଜୁଥିଲେ । ସମସ୍ତେ ଚାକିରିଆ ବର ଖୋଜୁ ଥିବାରୁ ତାଙ୍କୁ କେହି ଝିଅ ପସନ୍ଦ କରୁନଥିଲେ । ଏହି ସମୟରେ ସେ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ସମ୍ପର୍କରେ ଆସିଥିଲେ । ବିଧାୟକ ତାଙ୍କୁ ଶିବାନୀଙ୍କ ବିବାହ ପ୍ରସ୍ତାବ ଦେଇଥିଲେ । ପିଲାଟି ଦିନରୁ ସମାଜସେବା କରି ଆସୁଥିବା ଦେବାଶିଷଙ୍କ ମନକୁ ବି ଏହି ପ୍ରସ୍ତାବ ବେଶ୍ ଛୁଇଁଥିଲା । ତେଣୁ ସପରିବାର ସହ ପାର୍ବତୀଗିରି ବାଳନିକେତନ ଆଶ୍ରମରେ ପହଞ୍ଚି ଶିବାନୀଙ୍କୁ ଦେଖି ପସନ୍ଦ କରିଥିଲେ । ତା' ପରେ ଆରମ୍ଭ ହୋଇଥିଲା ବିବାହ ପ୍ରସ୍ତୁତି ।