ବଲାଙ୍ଗୀର: ବିଶିଷ୍ଟ ଶ୍ରମିକ ନେତା ତଥା ସମାଜସେବୀ ଲଳିତ ନାୟକ ଆଉ ନାହାଁନ୍ତି । ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ସାଢ଼େ ୫ଟାରେ ଆଖି ବୁଜିଦେଇଛନ୍ତି । ସମାଜସେବା କ୍ଷେତ୍ରରେ ଜଣେ ଅନନ୍ୟ ବ୍ୟକ୍ତିତ୍ୱ ଲଳିତ ନାୟକଙ୍କ ବିୟୋଗ ପଶ୍ଚିମ ଓଡ଼ିଶାବାସୀଙ୍କୁ ସ୍ତବ୍ଧ କରିଦେଇଛି । ସମାଜସେବୀ ପଦ୍ମଶ୍ରୀ ଡ. ପ୍ରକାଶ ରାଓଙ୍କ ଅକାଳ ନିଧନର ଦିନ କେଇଟାରେ ଓଡ଼ିଶା ଆଉ ଜଣେ ସମାଜସେବୀଙ୍କୁ ହରାଇବା ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ଆଣିଛି । ଲଳିତ ନାୟକ ଅବିବାହିତ ଥିବା ବେଳେ ସେ ନିଜ ଜୀବନର ଶେଷ ପର୍ଯ୍ୟନ୍ତ ଅନ୍ୟର ସେବାରେ ନିଜକୁ ନିୟୋଜିତ ରଖିଥିଲେ।
ସେ ବିଜେଡିରେ ଥାଇ ମଧ୍ୟ ଦଳ ମତ ନିର୍ବିଶେଷରେ ସମସ୍ତଙ୍କ ନ୍ୟାୟ ପାଇଁ ଲଢେଇ କରି ଆସୁଥିଲେ। ସେ ସମାଜ ସେବା ରକ୍ତ ଦାନ କ୍ଷେତ୍ରରେ ଆଗୁଆ ଥିବା ବେଳେ ଜଣେ ଦକ୍ଷ ସଂଗଠକ ମଧ୍ୟ ଥିଲେ ଏବଂ ଗରିବ ଖଟିଖିଆ ମାନଙ୍କର ସେ ଥିଲେ ଜନ ନାୟକ। ବଲାଙ୍ଗୀର ଜିଲ୍ଲାର ଛୋଟ ବଡ଼ ସବୁ କାର୍ଯ୍ୟକ୍ରମରେ ସେ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ରହି ଲୋକଙ୍କ ସେବା କରି ଆସୁଥିଲେ। ତେବେ ତାଙ୍କର ଅକାଳ ବିୟୋଗରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି ।